ଇସଲାମାବାଦ : ପାକିସ୍ତାନର ବୈଦ୍ୟୁତିକ ଗଣମାଧ୍ୟମ ତଦାରଖ ସଂସ୍ଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ଲାଇଭ୍ ଭାଷଣ ପ୍ରସାରଣ ଉପରେ ରୋକ୍ ଲଗାଇଛନ୍ତି। ଶନିବାର ଏକ ସମାବେଶକୁ ସମ୍ବୋଧିତ କରିବା ବେଳେ ଇମ୍ରାନ୍ ଧମକ ଦେଇଥିଲେ ଯେ ଜଣେ ମହିଳା ମାଜିଷ୍ଟ୍ରେଟ୍, ନିର୍ବାଚନ କମିସନ ଓ ରାଜନୈତିକ ବିରୋଧୀଙ୍କ ବିରୋଧରେ ସେ ମାମଲା ରୁଜୁ କରିବେ। ତାଙ୍କ ସହଯୋଗୀ ସାହବାଜ ଗିଲଙ୍କୁ ବିନା ଦୋଷରେ ଦୁଇ ସପ୍ତାହ ତଳେ ଗିରଫ କରାଯାଇଥିବାରୁ ଏହା ବିରୋଧରେ ସେ କୋର୍ଟରେ ଅପିଲ କରିବେ ବୋଲି ଧମକ ଦେଇଥିଲେ।

Advertisment

ପାକିସ୍ତାନ ବୈଦ୍ୟୁତିକ ଗଣମାଧ୍ୟମ ନିୟାମକ ପ୍ରାଧିକରଣ (ପିଇଏମ୍‌ଆର୍‌ଏ) ଶନିବାର କହିଛନ୍ତି ଯେ, ବାରମ୍ବାର ଚେତାବନୀ ଦିଆଯିବା ସତ୍ତ୍ବେ ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକ ସରକାରୀ ସଂସ୍ଥାଗୁଡ଼ିକ ବିରୋଧରେ ପ୍ରସାରଣ କରୁଛନ୍ତି। ତେହେରିକ୍-ଏ-ଇନସାଫ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବାରମ୍ବାର ଭିତ୍ତିହୀନ ଅଭିଯୋଗ ଆଣି ଆଇନଶୃଙ୍ଖଳା ରକ୍ଷା କରୁଥିବା ସରକାରୀ ଅନୁଷ୍ଠାନ ତଥା ଅଧିକାରୀମାନଙ୍କ ବିରୋଧରେ ଘୃଣାବ୍ୟଞ୍ଜକ ଭାଷଣ ଦେଉଛନ୍ତି।