ମାଲେସିଆରେ ଭାଷଣ ଦେଇପାରିବନି ଜାକିର ନାଏକ, ଲାଗିଲା ବ୍ୟାନ

କ୍ୱାଲାଲୁମ୍ପୁର : ଏଣିକି ମାଲେସିଆରେ ବିବାଦୀୟ ଭାଷଣ ଦେଇପାରିବନି ଜାକିର ନାଏକ | ମାଲେସିଆ ପୁଲିସର କହିବା ମୁତାବକ ରାଷ୍ଟ୍ରୀୟ ସୁରକ୍ଷାକୁ ନଜରରେ ରଖି ଏଭଳି ପ୍ରତିବନ୍ଧକ ଲଗାଯାଇଛି | ଭାରତରୁ ଫେରାର ହୋଇଥିବା ନାଏକକୁ ମାଲେସିଆ ସରକାର ସ୍ଥାୟୀ ନାଗରିକତ୍ୱ ପ୍ରଦାନ କରିଥିଲେ । କିନ୍ତୁ ନାଏକ ମାଲେସିଆରେ ରହୁଥିବା ହିନ୍ଦୁ ଓ ଚୀନା ଲୋକମାନଙ୍କ ବିରୋଧରେ ଦେଇଥିବା ବିଭେଦକାରୀ ବୟାନକୁ ନେଇ ସବୁଆଡୁ ବିରୋଧର ସ୍ୱର ଉଠିବା ପରେ ତା ବିରୋଧରେ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି|

Photo Courtesy of Zee News

ତା’ବିରୋଧରେ ପ୍ରାୟ ୧୧୫ଟି ମାମଲା ଦାଏର କରାଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୬ରେ ଜାକିର ନାଏକର ସଂଗଠନ ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନ (ଆଇଆରଏଫ)କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିଲେ । ଏହି ବର୍ଷ ଜାକିର ଭାରତ ଛାଡି ପଳାୟନ କରିଥିଲା । ୨୦୧୭ରେ ଏନଆଇଏ ପକ୍ଷରୁ ନାଏକ ବିରୋଧରେ ଚାର୍ଜସିଟ ଦାଏର କରାଯାଇଥିଲା ।

ଏନଆଇଏ ପକ୍ଷରୁ ଦାଏର ଚାର୍ଜସିଟରେ କୁହାଯାଇଥିଲା ଯେ ଜାକିର ନାଏକ ଜାଣିଶୁଣି ହିନ୍ଦୁ, ଖ୍ରୀଷ୍ଟିଆନ, ସିହା, ସୁଫି ଆଦି ଧର୍ମାବଲମ୍ବୀ ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଛି । ତାହାର ଉତ୍ତେଜନାପୂର୍ଣ୍ଣ ଭାଷଣରେ ପ୍ରଭାବିତ ହୋଇ ଅନେକ ଯୁବକ ଆଇଏସଆଇଏସ ପରି ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି । ଦେଶର ସାଂପ୍ରଦାୟିକ ସଦ୍ଭାବକୁ ନଷ୍ଟ କରିବା ଅଭିଯୋଗରେ ତା ବିରୋଧରେ ବିଭିନ୍ନ ଦଫା ଲଗାଯାଇଛି ।

ସମ୍ବନ୍ଧିତ ଖବର