ଓଡ଼ିଶାରେ ୨ଶହ ବନଧନ ବିକାଶ କେନ୍ଦ୍ର ସ୍ଥାପନ ହେବ, ୬ ଲକ୍ଷ ଆଦିବାସୀଙ୍କୁ ଉଦ୍ୟୋଗୀ କରିବ ଟ୍ରାଇଫେଡ୍

ନୂଆଦିଲ୍ଲୀ : ଓଡ଼ିଶାରେ ଆସନ୍ତା ୫ ବର୍ଷ ମଧ୍ୟରେ ୬ ଲକ୍ଷ ଆଦିବାସୀ ମାନଙ୍କୁ ଉଦ୍ୟୋଗୀ କରାଯିବ। ଏନେଇ ଓଡ଼ିଶାରେ ୨୦୦ଟି ବନଧନ ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରତ୍ୟେକ ବନଧନ କେନ୍ଦ୍ରରେ ୩୦୦ ଲେଖାଏଁ ଆଦିବାସୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ନୂଆଦିଲ୍ଲୀରେ ସମ୍ବାଦ ସହ ଏକ ବିଶେଷ କଥାବାର୍ତ୍ତାରେ ଟ୍ରାଇବାଲ କୋଅପ‌େରଟିଭ୍ ମାର୍କେଟିଂ ଡେ‌େଭଲପମେଣ୍ଟ ଫେ‌େଡରେସନ ଅଫ୍‌ ଇଣ୍ଡିଆ (ଟ୍ରାଇଫେଡ୍) ମ୍ୟାନେଜିଂ ଡାଇରେକ୍ଟର ପ୍ରବୀର କୃଷ୍ଣ ଏହା କହିଛନ୍ତି। ଦେଶରେ ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର ବନଧନ ବିକାଶ କେନ୍ଦ୍ର ସ୍ଥାପନ କରାଯାଇ ୪୫ ଲକ୍ଷ ଆଦିବାସୀ ମାନଙ୍କୁ ଉଦ୍ୟୋଗୀ କରିବାର ଲକ୍ଷ୍ୟ ରହିଥିବା ପ୍ରବୀର କହିଛନ୍ତି। ଆଦିବାସୀ ମାନଙ୍କ ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ ମାର୍କେଟିଂ, ପ୍ୟାକେଜିଂ ଓ ବ୍ରାଣ୍ଡିଂ କରିବା ଉଦ୍ଦେଶ୍ୟରେ ତଥା ସେମାନଙ୍କର ଆୟକୁ ଦ୍ବିଗୁଣିତ କରିବା ପାଇଁ ବନଧନ ବିକାଶ କେନ୍ଦ୍ର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ଏହି ଗୁରୁତ୍ବପୂର୍ଣ୍ଣ ‌େଯାଜନାକୁ ଟ୍ରାଇଫେଡ୍ କାର୍ଯ୍ୟକାରୀ କରିବ। ଆଦିବାସୀମାନେ ସେମାନଙ୍କ ଜଙ୍ଗଲଜାତ ଉତ୍ପାଦିତ ସାମଗ୍ରୀଗୁଡ଼ିକର ଠିକ୍‌ ଭାବେ ମାର୍କେଟିଂ କରିପାରୁନାହାନ୍ତି । ଆଦିବାସୀମାନଙ୍କୁ ରୋଜଗାରକ୍ଷମ କରିବା ସହିତ ଉଦ୍ୟୋଗୀ କରିବା ପାଇଁ ଯେଉଁ ପ୍ରଦକ୍ଷେପ ନିଆଯିବ ସେଥିରେ ଆଦିବାସୀ ମାନେ ଉପକୃତ ହେବେ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସମେତ ୨୪ ରାଜ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇସାରିଛି। ଆସନ୍ତା ସପ୍ତାହରୁ ରାଜ୍ୟମାନଙ୍କରେ ଏହି ଯୋଜନା କାର୍ଯ୍ୟକାରୀ କରିବା ନେଇ କର୍ମଶାଳା ଆୟୋଜନ କରାଯିବ। ଜିଲ୍ଲା ସ୍ତରୀୟ କର୍ମଶାଳାରୁ ଆରମ୍ଭ କରି ଆନ୍ତର୍ଜାତୀୟ କର୍ମଶାଳା ପର୍ଯ୍ୟନ୍ତ ଏହି ଯୋଜନା ସମ୍ପର୍କରେ ଅବଗତ କରାଯିବ। ପ୍ରତ୍ୟେକ ବନଧନ ବିକାଶ କେନ୍ଦ୍ର ଗୁଡ଼ିକର ପ୍ରତିଷ୍ଠା ପାଇଁ ୧୫ ଲକ୍ଷ ଟଙ୍କାର ପାଣ୍ଠି ପ୍ରଦାନ କରାଯିବ ଏବଂ ଏହି କେନ୍ଦ୍ରରେ ସ୍ବୟଂ ସହାୟକ ଗୋଷ୍ଠୀ ଯୋଡ଼ି ହେବେ। ଦେଶର ୨୭ ରାଜ୍ୟର ୩୦୭ ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଏହି ଯୋଜାନାକୁ କାର୍ଯ୍ୟକାରୀ କରାଯିବ। ଏଥିରେ ପାଖାପାଖି ୫.୫ କୋଟି ଆଦିବାସୀ ମାନଙ୍କୁ ସଶକ୍ତିକରଣ କରାଯିବ । ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଜଙ୍ଗଲଜାତ ଦ୍ରବ୍ୟ ଗୁଡ଼ିକର ମାର୍କେଟିଂ କରାଯିବ। ବନଧନ ବିକାଶ କେନ୍ଦ୍ର ଦ୍ବାରା ସାମଗ୍ରୀ ଗୁଡ଼ିକର ଗୁଣବତ୍ତା ଉପରେ ବିଶେଷ ଧ୍ୟାନ ଦିଆଯିବ।

ସମ୍ବନ୍ଧିତ ଖବର