ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାନ୍ଦ୍ରା ଜିଲ୍ଲାରେ ବସବାସ କରୁଥିବା ଶେହଜାଦୀ ଖାନଙ୍କୁ ଫେବ୍ରୁଆରି ୧୫ ତାରିଖରେ ୟୁଏଇରେ ଫାଶୀ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାର ଶେହଜାଦୀ ଜଣେ ୪ ମାସର ଶିଶୁକୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଅବୁଧାବିର ଏକ ଜେଲରେ ଥିଲେ। ତାଙ୍କୁ ମୃତ୍ୟୁ ଦଣ୍ଡ ହୋଇଥିଲା। ଫାଶୀ ଦେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଫେବ୍ରୁଆରି ୧୪ ତାରିଖରେ ଶେହଜାଦୀ ଖାନ ଶେଷଥର ପାଇଁ ତାଙ୍କ ବାପା ଓ ମା’ଙ୍କ ସହିତ କଥା ହୋଇଥିଲେ।
ଶେହଜାଦୀ ବାପା ଓ ମା’ଙ୍କୁ କାନ୍ଦିକାନ୍ଦି କହିଥିଲେ, ‘ଅବୁ ଏହା ମୋର ଶେଷକଲ। ହୋଇପାରେ ମୁଁ ଆଉ ଫୋନ ନକରି ପାରେ। ଯେଉଁ ମାମଲା ରୁଜୁ କରିଛ ତାହାକୁ ଫେରାଇ ନେବ। କାହାରି ସହିତ ଶତ୍ରୁତା କରିବ ନାହିଁ। ଯଦି ବେଶୀ କିଛି ଅସୁବିଧା ହୁଏ ମୁମ୍ବାଇ ଚାଲି ଆସିବ।ଆଉ କୋର୍ଟ କଚେରି ଝାମିଲାରେ ପଡ଼ିବ ନାହିଁ।
ଶେହଜାଦୀ ଖାନଙ୍କୁ ଫାଶୀ ଦିଆଯିବା ଖବର ବିଦେଶ ବ୍ୟାପାର ମନ୍ତ୍ରାଳୟ ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଏସ୍ଜି (ଅତିରିକ୍ତ ସଲିସିଟର ଜେନେରାଲ୍) ଚେତନ ଶର୍ମା କହିଛନ୍ତି, ତାଙ୍କ ପରିବାର ସଦସ୍ୟଙ୍କୁ ସରକାରୀ କର୍ତ୍ତୃପକ୍ଷ ସବୁ ପ୍ରକାର ସହଯୋଗ କରୁଛନ୍ତି। ମାର୍ଚ୍ଚ ୫ ତାରିଖରେ ଶେହଜାଦୀଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ମନ୍ତ୍ରାଳୟ ସୂଚନା ଦେଇଛି।