ନୂଆଦିଲ୍ଲୀ: ୨୦୧୯ ଫେବ୍ରୁଆରି ୧୫ ତାରିଖରେ ଦେଶରେ ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା। ନୂଆଦିଲ୍ଲୀରୁ ବାରଣାସୀ ମାର୍ଗରେ ଏହି ଟ୍ରେନର ଶୁଭାରମ୍ଭ କରାଯାଇଥିଲା। ୩ ବର୍ଷ ମଧ୍ୟରେ ରେଳବାଇ ଦେଶର ୧୦ଟି ମାର୍ଗରେ ଏହି ଟ୍ରେନ ଚଳାଚଳ କରିବାରେ ସକ୍ଷମ ହୋଇଛି। ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇରେ ଦୁଇଟି ମାର୍ଗରେ ଉକ୍ତ ଟ୍ରେନର ଚଳାଚଳ ଶୁଭାରମ୍ଭ କରିଛନ୍ତି। ସେହିଦୁଇଟି ମାର୍ଗ ହେଲା ମୁମ୍ବାଇ-ସୋଲାପୁର ଏବଂ ମୁମ୍ବାଇ-ଶିରିଡ଼ି। ଫଳରେ ଦେଶର ୧୦ଟି ମାର୍ଗରେ ଉକ୍ତ ଟ୍ରେନ ଏବେ ଲୋକଙ୍କୁ ସେବା ଯୋଗାଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଚଳାଚଳ କରୁଥିବା ଟ୍ରେନଗୁଡ଼ିକ ମଧ୍ୟରେ ଏହାର ବେଗ ସର୍ବାଧିକ ରହିଛି। ଘଣ୍ଟାପ୍ରତି ୧୮୦ କିମି ବେଗରେ ଏହା ଯାତ୍ରା କରିପାରିବା କ୍ଷମତା ରଖିଛି। ତେବେ ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଉକ୍ତ ଟ୍ରେନ ଘଣ୍ଟାପ୍ରତି ୧୩୦ କିମି ବେଗରେ ଯାତ୍ରା କରୁଛି। ନୂଆ ଟ୍ରେନ ଚଳାଚଳକୁ ଆରମ୍ଭ ଘୋଷଣା କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଆଧୁନିକ ଭାରତର ଛବି ଯଥା ବେଗ ଏବଂ ଆକାରକୁ ନୂଆ ଟ୍ରେନ ପ୍ରତିଫଳିତ କରୁଛି।

Advertisment

ବନ୍ଦେ ଭାରତ ଏକ୍ସପ୍ରେସକୁ ଟ୍ରେନ ୧୮ ବୋଲି ମଧ୍ୟ କୁହାଯାଉଛି। ୧୦୦ କିମି ବେଗ ଛୁଇଁବା ପାଇଁ ଉକ୍ତ ଟ୍ରେନକୁ ମାତ୍ର ୫୨ ସେକେଣ୍ଡ ଲାଗୁଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ବନ୍ଦେ ଭାରତ ଟ୍ରେନ (୨.୦)ରେ କବଚ (ଟ୍ରେନ ଦୁର୍ଘଟଣା ଏଡ଼ାଇବା ବ୍ୟବସ୍ଥା) ସୁବିଧା ରହିଛି। ସବୁ ବଗିରେ ଅଟୋମେଟିକ ଏବଂ ସ୍ବୟଂ ପରିଚାଳିତ ହେଉଥିବା ଦ୍ବାର ରହିଛି। ଏଥିସହିତ ଜିପିଏସ୍‌ ଭିତ୍ତିକ ଅଡିଓ ଭିଜୁଆଲ ପାସେଞ୍ଜର ଇନଫର୍ମେସନ ସିଷ୍ଟମ, ୩୨ ଇଞ୍ଚର ଇ‌ନଫୋଟେନମେଣ୍ଟ ସ୍କ୍ରିନ, ହଟସ୍ପଟ ୱାଇଫାଇ ଏବଂ ଆରାମଦାୟକ ସିଟ୍ ରହିଛି।

ନୂଆଦିଲ୍ଲୀ ଓ ବାରଣାସୀ ବ୍ୟତୀତ ଅନ୍ୟ ଯେଉଁସବୁ ମାର୍ଗରେ ବନ୍ଦେ ଭାରତ ଟ୍ରେନ ଚଳାଚଳ କରୁଛି ସେଗୁଡ଼ିକ ହେଲା ନୂଆଦିଲ୍ଲୀ-ଶ୍ରୀ ମାତା ବୈଷ୍ଣୋ ଦେବୀ କଟ୍‌ରା, ଗାନ୍ଧୀ ନଗର-ମୁମ୍ବାଇ, ନୂଆଦିଲ୍ଲୀ-ଆମ୍ବ ଆନ୍ଦାଉରା, ଚେନ୍ନାଇ-ମହୀଶୂର, ନାଗପୁର-ବିଳାସପୁର, ହାଓଡ଼ା-ନ୍ୟୁ ଜଲପାଇଗୁଡ଼ି, ସିକନ୍ଦରାବାଦ-ବିଶାଖାପାଟନମ, ମୁମ୍ବାଇ-ସୋଲାପୁର ଏବଂ ମୁମ୍ବାଇ-ଶିରିଡି।