ମା’ଙ୍କୁ ନୁହେଁ ତ କ’ଣ ଅଫଜଲ ଗୁରୁକୁ ପ୍ରଣାମ କରିବ: ଉପ ରାଷ୍ଟ୍ରପତି

ବନ୍ଦେ ମାତରମ ବିବାଦ

ନୂଆଦିଲ୍ଲୀ: ସମ୍ପ୍ରତି ବନ୍ଦେ ମାତରମ ପ୍ରସଙ୍ଗରେ ଲାଗି ରହିଥିବା ବିବାଦକୁ ନେଇ ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବନ୍ଦେ ମାତରମର ଅର୍ଥ ,ମା’ ତୁଝେ ସଲାମ ବା ମା’ ଆପଣଙ୍କୁ ପ୍ରଣାମ । ତେଣୁ ମା’ଙ୍କୁ ପ୍ରଣାମ ଜଣାଇବାରେ କୌଣସି ଅସୁବିଧା ନାହିଁ । ମା’ଙ୍କୁ ପ୍ରଣାମ କରାଯିବନି ତ ଆଉ କ’ଣ ଅଫଜଲ ଗୁରୁ ଭଳି ଆତଙ୍କବାଦୀକୁ ପ୍ରଣାମ କରାଯିବ ବୋଲି ଉପ ରାଷ୍ଟ୍ରପତି ନାଇଡ଼ୁ ପ୍ରଶ୍ନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସ୍କୁଲ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବନ୍ଦେ ମାତରମ ପରିବେର୍ତ୍ତ ଜାତୀୟ ସଙ୍ଗୀତ ଗାନ କରାଯାଉ ବୋଲି କିଛି ରାଜନେତା ଦାବି କରିବା ପରେ ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛିା ବିଶ୍ୱ ହିନ୍ଦୁ ପରିଷଦର ଦିବଙ୍ଗତ ଅଧ୍ୟକ୍ଷ ତଥା ରାମ ମନ୍ଦିର ନିର୍ମାଣ ସଂଗଠନର ମୁଖ୍ୟ ନେତା ଥିବା ଅଶୋକ ସିଂହଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପୁସ୍ତକ ଉନ୍ମୋଚନ ବେଳେ ଉପ ରାଷ୍ଟ୍ରପତି ଏଭଳି ବିବୃତି ଦେଇଛନ୍ତି । ଅଫଜଲ ଗୁରୁ ହେଉଛି ଏକ କୁଖ୍ୟାତ ଆତଙ୍କବାଦୀ । ୨୦୦୧ ମସିହା ସଂସଦ ଭବନ ଆକ୍ରମଣ ଘଟଣାରେ ତାକୁ ଫାଶୀ ଦିଆଯାଇଛି । ଭାରତ ମାତା କି ଜୟ କହୁଥିବା ଲୋକେ ନିର୍ଦ୍ଦିଷ୍ଟ କୌଣସି ଗୋଟିଏ ଦେବାଦେବୀଙ୍କ ପ୍ରସଙ୍ଗରେ କୁହନ୍ତି ନହିଁ । ବରଂ ଦେଶରେ ଥିବା ୧୨୫ କୋଟି ଜନତା ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଗୋଟିଏ ଭାରତୀୟ ସମ୍ପ୍ରଦାୟର ଜୟଜୟକାର କରିଥାନ୍ତି ବୋଲି ଉପ ରାଷ୍ଟ୍ରପତି କହିଛନ୍ତି ।

ସମ୍ବନ୍ଧିତ ଖବର