୬ ଦିନ ତଳେ ବେଙ୍ଗାଲୁରୁ-ମହୀଶୂର  ଏକ୍ସପ୍ରେସୱେ ଉଦଘାଟନ କରିଥିଲେ ମୋଦୀ, ଏବେ ବର୍ଷାରେ ବୁଡ଼ିଲା ଅଣ୍ଡରବ୍ରିଜ

ବେଙ୍ଗାଲୁରୁ: ମାର୍ଚ୍ଚ ୧୨ରେ ପ୍ରଧାନମନ୍ତ୍ରୀ ମୋଦୀ ୧୧୮ କିଲୋମିଟର ଦୀର୍ଘ କର୍ଣ୍ଣାଟକର ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେ ଉଦଘାଟନ କରିଥିଲେ । ଏହି ଏକ୍ସପ୍ରେସୱେ ଫଳରେ ବେଙ୍ଗାଲୁରୁ-ମହୀଶୂର ଯାତ୍ରା ସମୟ ତିନି ଘଣ୍ଟାରୁ ପ୍ରାୟ ୭୫ ମିନିଟକୁ ଆସିଛି । କିନ୍ତୁ ଶୁକ୍ରବାର ରାତିରେ ରାଜ୍ୟର ରାମନଗର ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ଏହା ଜଳମଗ୍ନ ହୋଇଯାଇଥିଲା । ଏକ୍ସପ୍ରେସୱେ୍ର ଅଣ୍ଡରବ୍ରିଜରେ ପାଣି ଜମାହେବାରୁ ଅନେକ ଦୁର୍ଘଟଣା ଘଟିଥିଲା, ପରେ ଟ୍ରାଫିକ୍ ଜାମ୍ ମଧ୍ୟ ହୋଇଥିଲା।

ଯାନବାହାନର କ୍ଷୟକ୍ଷତି ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଏବଂ ପ୍ରଧାନମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅନେକ ଯାତ୍ରୀ । ବିକାଶ ନାମକ ଜଣେ ଯାତ୍ରୀ ଜାତୀୟ ଗଣମାଧ୍ୟରେ ସାକ୍ଷାତକାର ଦେଇ କହିଛନ୍ତି ଯେ, ତାଙ୍କ ମାରୁତି ଗାଡ଼ି ଅଣ୍ଡରବ୍ରିଜର ପାଣିରେ ଅଧା ବୁଡ଼ି ଅଟକି ଯାଇଥିଲା ଏବଂ ପଛରୁ ଆସୁଥିବା ଏକ ଲରୀ କାରକୁ ଧକ୍କା ଦେଇଥିଲା । ଏଥିପାଇଁ କିଏ ଦାୟୀ ରହିବ? କାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି । ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସପ୍ରେସୱେକୁ ଉଦଘାଟନ କରିବା ପୂର୍ବରୁ ସଡ଼କ ଏବଂ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଯାଞ୍ଚ କରିଥିଲେ କି ?

ନାଗରାଜୁ ନାମକ ଅନ୍ୟ ଜଣେ ଯାତ୍ରୀ କହିଛନ୍ତି ଯେ, ପାଣି ଜମା ହେବା ଯୋଗୁ ତାଙ୍କ ଗାଡ଼ିର ଦୁର୍ଘଟଣା ହୋଇଥିଲା । ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଥାନ୍ତେ, ତେବେ ରାଜ୍ୟ ସରକାର ୧୦ ମିନିଟରେ ଭରିରହିଥିବା ପାଣିକୁ ସଫା କରିଦେଇଥାନ୍ତେ । ଆପଣ ଦେଖିପାରୁ ନାହାନ୍ତି ଯେ, ଆମେ ସାଧାରଣ ଲୋକ କେତେ ଯନ୍ତ୍ରଣା ଭୋଗୁଛୁ? ଦୁର୍ଘଟଣା ପାଇଁ କିଏ ଦାୟୀ ରହିବ?

ସମ୍ବନ୍ଧିତ ଖବର