ନୂଆଦିଲ୍ଲୀ: ବ୍ୟାଙ୍କକ୍ ଅଭିମୁଖେ ଯାଉଥିବା ଲୁଫଥାନ୍ସା ବିମାନରେ ଏକ ଦମ୍ପତିଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହେବାରୁ ବୁଧବାର ଏହାକୁ ଦିଲ୍ଲୀ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ବୁଧବାର ସକାଳେ ମ୍ୟୁନିକରୁ ଉଡ଼ାଣ ଭରିଥିବା ବିମାନଟି ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଯାତ୍ରୀଙ୍କ ଝଗଡ଼ା ବିଷୟରେ ସୂଚନା ଦେବା ପରେ ତାଙ୍କୁ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାକୁ ଅନୁମତି ଦିଆଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଜଣେ ଜର୍ମାନୀ ବ୍ୟକ୍ତି ଓ ତାଙ୍କ ଥାଇ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା।

Advertisment

ସ୍ୱାମୀଙ୍କ ଏଭଳି ଆଚରଣକୁ ଧମକ ବୋଲି ଦର୍ଶାଇ ପାଇଲଟଙ୍କ ସହାୟତା ଲୋଡ଼ିଥିଲେ ପତ୍ନୀ। ବିମାନଟି ପ୍ରଥମେ ପାକିସ୍ତାନ ବିମାନ ବନ୍ଦରରେ ଅବତରଣ କରିବାକୁ ଅନୁମତି ମାଗିଥିଲା, କିନ୍ତୁ ସେହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅବତରଣ କରିବା ପରେ ସ୍ୱାମୀଙ୍କୁ ବିମାନରୁ ଓହ୍ଲାଇ ବିମାନବନ୍ଦର ସୁରକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ସୁରକ୍ଷା ଅଧିକାରୀମାନେ ଜର୍ମାନ ଦୂତାବାସ ସହ ଯୋଗାଯୋଗରେ ଥିବା ବେଳେ ବ୍ୟକ୍ତି ଜଣକ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ କ୍ଷମା ମାଗିଛନ୍ତି।