କାଠମାଣ୍ଡୁ: ବାଂଲାଦେଶର ଏକ ଯାତ୍ରୀବାହୀ ବିମାନ ସୋମବାର ଅପରାହ୍ନରେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଏହି ବିମାନରେ ଯାତ୍ରା କରୁଥିବା ୫୦ ଜଣ ଯାତ୍ରୀଙ୍କର ମୁତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ବାଂଲାଦେଶର ଏକ ଯାତ୍ରୀବାହୀ ବିମାନ ସୋମବାର ଅପରାହ୍ନରେ ନେପାଳ ରାଜଧାନୀ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କଲା ସମୟରେ ଏହି ଦୁର୍ଘଟଣା ଘଟିଥିବା ବିମାନ ବନ୍ଦରର ପ୍ରବକ୍ତା ପ୍ରେମନାଥ ଠାକୁର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦୁର୍ଘାଟଣାଗ୍ରସ୍ତ ବିମାନଟିରେ ସର୍ବମୋଟ ୭୧ ଜଣ ବ୍ୟକ୍ତି ଥିଲେ। ଏମାନଙ୍କ ମଧ୍ୟରୁ ୬୭ଙ୍କ ଯାତ୍ରୀ ଥିବା ବେଳେ ୪ ଜଣ ଥିଲେ ବିମାନର କ୍ର୍ୟୁ ମେମ୍ବର। ଯାତ୍ରୀମାନଙ୍କ ମଧ୍ୟରୁ ୩୭ ଜଣ ପୁରୁଷ ଥିବା ବେଳେ ୨୭ ଜଣ ମହିଳା ଓ ୨ ଜଣ ଶିଶୁ ଥିଲେ। ଏମାନଙ୍କ ମଧ୍ୟରରେ ୩୩ ଜଣ ଥିଲେ ନେପାଳର ନାଗରିକ। ଏହି ଯାତ୍ରୀମାନଙ୍କ ମଧ୍ୟରୁ ଦୁର୍ଘଟଣାରେ ୫୦ ଜଣଙ୍କର ମୁତ୍ୟୁ ଘଟିଥିବା ଆଶଙ୍କା କରା ଯାଉଥିବା ବେଳେ ୧୦ ଜଣ ଯାତ୍ରୀଙ୍କର ପତ୍ତା ମିଳୁ ନଥିବା ଉଦ୍ଧାର କାର୍ଯ୍ୟରେ ଥିବା ନେପାଳର ଜଣେ ସେନା ଅଧିକାରୀ କହିଛନ୍ତି।
#WATCH: A plane has crashed at Tribhuvan International Airport in Kathmandu, Nepal. More details awaited. (Source:Unverified) pic.twitter.com/lpsWrvFjZd
— ANI (@ANI) March 12, 2018
ଏହି ଦୁର୍ଘଟଣା ସଂପର୍କରେ ସୂଚନା ପ୍ରଦାନ କରି କାଠମାଣ୍ଡୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରର ପ୍ରବକ୍ତା ବୀରେନ୍ଦ୍ର ପ୍ରସାଦ ଶ୍ରେଷ୍ଠ ଗଣମାଧ୍ୟମକୁ କହିଛନ୍ତି, ସୋମବାର ଅପରାହ୍ନରେ ୬୭ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ମେମ୍ବରଙ୍କୁ ଧରି ୟୁଏସ୍- ବାଂଲା ଏୟାରଲାଇନ୍ସର ଏହି ବିମାନଟି ବାଂଲାଦେଶର ରାଜଧାନୀ ଢ଼ାକାରୁ ନେପାଳର ରାଜଧାନୀ କାଠମାଣ୍ଡୁ ଅଭିମେୁଖେ ଉଡ଼ାଣ ଭରିଥିଲା। ତେବେ, କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଟି ଅବତରଣ କଲାବେଳେ ଭାରସାମ୍ୟ ରକ୍ଷା କରି ନପାରି ରନ୍େଓ୍ଵ ଠାରୁ ଅଦୂରରେ ଥିବା ଏକ ଫୁଟବଲ ପଡ଼ିଆ ମଧ୍ୟକୁ ପଶିଯାଇ ଦୁର୍ଘଟଣା ଗ୍ରସ୍ତ ହେବା ସହ ବିମାନଟିରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ସମୟ ଅପରାହ୍ନ ୨ଟା ୨୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ସଂପର୍କରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି)ରୁ ଖବର ପାଇବା ମାତ୍ରେ ବିମାନ ବନ୍ଦରରେ ମୁତୟନ ଥିବା ଅଗ୍ନିଶମ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ଅବିଳମ୍ବେ ଯାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଦୁର୍ଘଟଣାଗ୍ରସ୍ତ ବିମାନ ମଧ୍ୟରୁ ୨୫ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲମାନଙ୍କୁ ପଠାଇଥିଲେ। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହଛି।
ନେପାଳର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ ସଞ୍ଜୀବ୍ ଗୌତମ କହିଛନ୍ତି ଯେ ବିମାନଟିକୁ ଦକ୍ଷିଣ ଦିଗରୁ ଆସି ରନେଓ୍ଵ ଉପରେ ଅବତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା କିନ୍ତୁ ବିମାନର ପାଇଲଟ ଉତ୍ତର ଦିଗରୁ ଆସି ରନେଓ୍ଵ ଉପରେ ଅବତରଣ କରିବାରୁ ଏପରି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ତେବେ, ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଏହି ଦୁର୍ଘଟଣାର ଜନୈକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବିମାନଟି ଖୁବ୍ କମ୍ ଉଚ୍ଚତାରେ ଉଡ଼ିବା ସହ ଖୁବ୍ ଯୋରରେ ଦୋହଲୁଥିଲା। ଲାଗୁଥିଲା ସତେ ଯେପରି ପାଖର ପାହଡ଼ରେ ପିଟି ହୋଇଯିବ। ଏମିତି ପରିସ୍ଥିତିରେ ହଠାତ୍ ଏକ ବିସ୍ଫୋରଣ ଘଟିଥିଲା ଓ ବିମାନଟିରେ ନିଆଁ ଲାଗିଯିବା ସହ ଚାରିଆଡ଼ କଳା ଧୂଆଁରେ ଭର୍ତ୍ତି ହୋଇଯାଇଥିଲା।
ଏହି ଦୁର୍ଘଟଣା ପରେ ବର୍ତ୍ତମାନ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସମସ୍ତ ବିମାନର ଉଡ଼ାଣ ଓ ଅବତରଣକୁ ବାତିଲ କରି ଦିଆଯାଇଛି ବୋଲି କହିଛନ୍ତି, ନେପାଳର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ ସଞ୍ଜୀବ୍ ଗୌତମ।