ଢାକା : 'ଅପରେସନ୍ ସିନ୍ଦୂର'ରେ, ପାକିସ୍ତାନର ସବୁପ୍ରକାରର ଚୀନ ନିର୍ମିତ ଯୁଦ୍ଧାସ୍ତ୍ର ଭାରତ ଆଗରେ ତିଷ୍ଠି ପାରିନଥିଲା। ପାକିସ୍ତାନର ଯୁଦ୍ଧ ବିମାନ, ବାୟୁ ପ୍ରତିରକ୍ଷା ପ୍ରଣାଳୀ ସବୁ ବିଫଳ ହୋଇଥିଲା। କେବଳ ପାକିସ୍ତାନ ନୁହେଁ ବାଂଲାଦେଶ ମଧ୍ୟ ଚୀନ ନିର୍ମିତ ଲଢୁଆ ବିମାନ କିଣି ପସ୍ତଉଛି ।
ଚୀନ୍ରେ ନିର୍ମିତ ବାଂଲାଦେଶ ବାୟୁସେନାର ଆଉ ଏକ ଏଫ-୭ ଯୁଦ୍ଧ ବିମାନ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଢାକାର ଉତ୍ତରା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ଯେତେବେଳେ ତାଲିମ ମିଶନରେ ଯାଇଥିବା ଏହି ବିମାନଟି ମାଇଲଷ୍ଟୋନ୍ କଲେଜ ନିକଟରେ ଖସି ପଡ଼ିଥିଲା। ଦୁର୍ଘଟଣାରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଉଡ଼ାଣ ଭରିବା ପରେ ତୁରନ୍ତ ବିମାନର ସନ୍ତୁଳନ ବିଗିଡ଼ି ଯାଇଥିଲା ଏବଂ ଏହା ଏକ ଆବାସିକ ଅଞ୍ଚଳରେ ପଡ଼ିଥିଲା।
ଏଫ-୭ ବିମାନଟି ଚୀନ୍ର ଚେଙ୍ଗଡୁ ଏୟାରକ୍ରାଫ୍ଟ କର୍ପୋରେସନ ଦ୍ୱାରା ତିଆରି କରାଯାଇଛି। ଏହା ସୋଭିଏତ୍ ୟୁନିଅନର ମିଗ-୨୧ର ଏକ ଶସ୍ତା ଚୀନା ସଂସ୍କରଣ, ଯାହାକୁ ଚୀନ୍ ଶସ୍ତାରେ ଏବଂ ଦ୍ରୁତ ଉତ୍ପାଦନ ଆଧାରରେ ଅନେକ ଦେଶକୁ ବିକ୍ରି କରିଥିଲା। କିନ୍ତୁ ଏହି ଶସ୍ତା ସାମଗ୍ରୀ ଏବେ ବାଂଲାଦେଶ, ପାକିସ୍ତାନ ଏବଂ ଅନ୍ୟାନ୍ୟ ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଫ-୭ ପ୍ରଥମେ ୧୯୮୯ ମସିହାରେ ବାଂଲାଦେଶକୁ ପ୍ରଦାନ କରାଯାଇଥିଲା। ସେବେଠାରୁ, ଦୁଇ ଡଜନ ବିମାନ ଦୁର୍ଘଟଣା ଘଟିଛି।