ଢାକା: ଇସ୍କନ୍ (ଅନ୍ତର୍ଜାତୀୟ କୃଷ୍ଣ ଚେତନା ସଂଘ)କୁ ନିଷିଦ୍ଧ କରିବା ପାଇଁ ହାଇକୋର୍ଟରେ ଦାୟର ରିଟ୍ ପିଟିସନର ଜବାବରେ ବାଂଲାଦେଶ ସରକାର ବୁଧବାର ଏହାକୁ ଏକ ‘ଧାର୍ମିକ ମୌଳବାଦୀ ସଂଗଠନ’ ବୋଲି କହିଛି। ହିନ୍ଦୁ ନେତା ଚିନ୍ମୟକୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ଗିରଫଦାରୀ ଏବଂ ଇସ୍କନ୍ ଓ ଅନ୍ୟାନ୍ୟ ହିନ୍ଦୁ ମନ୍ଦିରଗୁଡ଼ିକୁ ଉଗ୍ରବାଦୀ ଇସଲାମିକ ସଂଗଠନଗୁଡ଼ିକ ଟାର୍ଗେଟ କରିବା ଘଟଣାକୁ ନେଇ ସମଗ୍ର ବାଂଲାଦେଶରେ ବ୍ୟାପକ ପ୍ରତିବାଦ ଚାଲିଥିବା ବେଳେ ଏହି ଘଟଣା ଘଟିଛି। ଚିନ୍ମୟକୃଷ୍ଣ ଦାସ ହିନ୍ଦୁ ଅଧିକାର ପାଇଁ ଚଟ୍ଟଗ୍ରାମ ଓ ରଙ୍ଗପୁରରେ ଦୁଇଟି ବିଶାଳ ରାଲିର ନେତୃତ୍ୱ ନେଇଥିଲେ। ବୁଧବାର ଜଣେ ଓକିଲ ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପିଟିସନ୍ ଦାଖଲ କରିଥିଲେ। ଜାମିନ ନାମଞ୍ଜୁର ହେବା ପରେ ସୁରକ୍ଷା କର୍ମୀ ଓ ହିନ୍ଦୁ ସାଧୁଙ୍କ ଅନୁଗାମୀମାନଙ୍କ ମଧ୍ୟରେ ସଂଘର୍ଷ ସମୟରେ ସହକାରୀ ସରକାରୀ ଓକିଲ ସୈଫୁଲ ଇସଲାମଙ୍କ ମୃତ୍ୟୁ ଘଟଣା ନେଇ ମଧ୍ୟ ଆଇନଜୀବୀ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶୁଣାଣି ସମୟରେ ଅଦାଲତ ଆଟର୍ଣ୍ଣି ଜେନେରାଲଙ୍କଠାରୁ ବାଂଲାଦେଶରେ ଇସ୍କନର କିପରି ପ୍ରତିଷ୍ଠା ହେଲା ସେ ସମ୍ପର୍କରେ ଜାଣିବାକୁ ଚାହିଥିଲେ। ଏହାର ଜବାବରେ ଆଟର୍ଣ୍ଣି ଜେନେରାଲ ମହମ୍ମଦ ଅସଦୁଜ୍ଜମାନ କହିଥିଲେ ଯେ ଏହି ସଂଗଠନ କୌଣସି ରାଜନୈତିକ ଦଳ ନୁହେଁ। ଏହା ଏକ ଧାର୍ମିକ ମୌଳବାଦୀ ସଂଗଠନ। ସରକାର ଏହାର ଯାଞ୍ଚ କରୁଛନ୍ତି। ଗୁରୁବାର ସକାଳ ସୁଦ୍ଧା ଇସ୍କନ ଓ ଦେଶର ସାମଗ୍ରିକ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସରକାରଙ୍କ ଆଭିମୁଖ୍ୟ ନେଇ ରିପୋର୍ଟ ଦେବାକୁ ହାଇକୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, କିଛି ସପ୍ତାହ ତଳେ ଆଟର୍ଣ୍ଣି ଜେନେରାଲ ଦେଶର ୯୦ ପ୍ରତିଶତ ଲୋକ ମୁସଲମାନ ହୋଇଥିବାରୁ ସମ୍ବିଧାନରୁ ଧର୍ମନିରପେକ୍ଷ ଶବ୍ଦ ହଟାଇବାକୁ ପରାମର୍ଶ ଦେଇଥିଲେ। ଏହି ଆବେଦନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଇସ୍କନର ଉପାଧ୍ୟକ୍ଷ ରାଧାରମଣ ଦାସ ବିଶ୍ୱ ନେତାମାନଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିବା ସହ ଜାନୁଆରି ୨୦ରେ ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ପରିସ୍ଥିତି ସୁଧୁରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଆଟର୍ଣ୍ଣି ଜେନେରାଲ ଇସ୍କନକୁ ଏକ ମୌଳବାଦୀ ସଂଗଠନ ବୋଲି କହୁଥିବାରୁ ଇସ୍କନ ନେତା ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
ହିନ୍ଦୁ ସନ୍ଥ ଗିରଫ ପ୍ରସଙ୍ଗ
ଜାତିସଂଘର ହସ୍ତକ୍ଷେପ ଲୋଡ଼ିଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ସନ୍ଥ ଚିନ୍ମୟକୃଷ୍ଣ ଦାସ ଗିରଫ ହେବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଜାତିସଂଘର ହସ୍ତକ୍ଷେପ ଲୋଡ଼ିଛନ୍ତି। ବାଂଲାଦେଶରେ ହିନ୍ଦୁ ଆଧ୍ୟାତ୍ମ ନେତାଙ୍କ ଗିରଫକୁ ନିନ୍ଦା କରି ସେ କହିଛନ୍ତି ଏଭଳି ଆକ୍ରମଣ ମାନବିକତା ବିରୋଧୀ ଏବଂ ସଭ୍ୟ ସମାଜରେ ଏହା କଦାପି ଗ୍ରହଣୀୟ ନୁହେଁ। ସେ କହିଛନ୍ତି, ବାଂଲାଦେଶର କାମଚଳା ପ୍ରଧାନମନ୍ତ୍ରୀ ଇସ୍ଲାମିକ ଚରମପନ୍ଥୀଙ୍କ କବ୍ଜାରେ ଅଛନ୍ତି। ହିନ୍ଦୁମାନଙ୍କ ଉପରେ ଯେଉଁଭଳି ଆକ୍ରମଣ ହେଉଛି ତାହା ମାନବିକତାର ବିରୁଦ୍ଧାଚରଣ କରୁଛି। ଉକ୍ତ ପ୍ରସଙ୍ଗରେ ଆମେ ଜାତିସଂଘ ହସ୍ତକ୍ଷେପ ଲୋଡ଼ୁଛୁ ବୋଲି ସିଂହ ଆଜି ସଂସଦ ପରିସରରେ ସାମ୍ବାଦିକମାନଙ୍କୁ କହିଛନ୍ତି। ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଏବେ ହିୁନ୍ଦୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ନେଇ ନିରବ ଅଛନ୍ତି।