ବାଂଲାଦେଶ ସ୍ବାଧୀନତାର ସ୍ବର୍ଣ୍ଣ ଜୟନ୍ତୀ ସମାରୋହ : ବାଂଲାଦେଶ ମୁକ୍ତି ସଂଗ୍ରାମ ମୋର ପ୍ରଥମ ଆନ୍ଦୋଳନ ଥିଲା: ମୋଦୀ

ମୋଦୀଙ୍କ ଗସ୍ତକୁ ବିରୋଧ କରି ହିଂସା, ୪ ମୃତ

ଢାକା : ବାଂଲାଦେଶ ସ୍ବାଧୀନତାର ସ୍ବର୍ଣ୍ଣ ଜୟନ୍ତୀ ସମାରୋହରେ ଆଜି ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବାଂଲାଦେଶ ମୁକ୍ତି ସଂଗ୍ରାମରେ ସାମିଲ ହେବା ତାଙ୍କ ଜୀବନର ପ୍ରଥମ ଆନ୍ଦୋଳନ ଥିଲା। ‘ସେତେ‌ବେଳେ ମୋର ବୟସ ୨୦-୨୨ ବର୍ଷ ହୋଇଥିବ। ମୁଁ ଅନ୍ୟ ସାଥୀମାନଙ୍କ ସହିତ ବାଂଲାଦେଶର ସ୍ବାଧୀନତା ପାଇଁ ସତ୍ୟାଗ୍ରହରେ ସାମିଲ ହୋଇଥିଲି’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବାଂଲାଦେଶର ସ୍ବାଧୀନତା ପାଇଁ ଭାରତୀୟ ସୈନିକମାନେ ସେମାନଙ୍କ ରକ୍ତ ବୁହାଇଥିଲେ। ଏହି ସ୍ବାଧୀନତା ପାଇଁ ଭାରତୀୟ ସୈନିକଙ୍କ ବଳିଦାନ ସଂପର୍କରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ରକ୍ତର ସଂପର୍କ ଦୁଇ ଦେଶର ବନ୍ଧୁତାକୁ ଅତ୍ୟନ୍ତ ସୁଦୃଢ଼ କରିଛି ଏବଂ ଏହା କୌଣସି ପରିସ୍ଥିତି କିମ୍ବା ଚାପରେ କଦାପି ଭାଙ୍ଗିବ ନାହିଁ ।

ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ବାଂଲାଦେଶର ରାଷ୍ଟ୍ରପିତା ଶେଖ୍‌ ମୁଜିବର ରହମାନଙ୍କ ସମ୍ମାନରେ ‘ମୁଜିବ ଜ୍ୟାକେଟ୍‌’ ପିନ୍ଧିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଂଗବନ୍ଧୁଙ୍କ ପ୍ରଚଣ୍ଡ ଆତ୍ମବିଶ୍ବାସ ଏବଂ ବଳିଷ୍ଠ ନେତୃତ୍ବ ଏହା ପ୍ରମାଣିତ କରିଦେଇଥି‌ଲା ଯେ କୌଣସି ଶକ୍ତି ବାଂଲାଦେଶକୁ ପରାଧୀନ କରି ରଖିପାରିବ ନାହିଁ। ମୁଜିବର ରହମାନଙ୍କୁ ଗାନ୍ଧୀ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯିବା ଭାରତ ପାଇଁ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା କହିଥିଲେ ଯେ ଭାରତ ସବୁ ପରିସ୍ଥିତିରେ ବାଂଲାଦେଶ ସହିତ ଦୃଢ଼ ଭାବେ ରହିଛି। କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ଭାରତ ବାଂଲାଦେଶକୁ ଯେଭଳି ସହାୟତା ଯୋଗାଇ ଦେଇଛି ସେଥିପାଇଁ ଆମେ କୃତଜ୍ଞ ବୋଲି ହାସିନା କହିଥିଲେ। ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଏବଂ ଭାରତୀୟ ସମୁଦାୟକୁ ଭେଟିଥିଲେ।

ମୋଦୀଙ୍କ ଗସ୍ତକୁ ବିରୋଧ କରି ହିଂସା, ୪ ମୃତ
ଢାକା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ବିରୋଧ କରି ବାଂଲାଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବାଂଲାଦେଶର ଚିତ୍ତଗଙ୍ଗ୍‌ ସହରରେ କିଛି ଆନ୍ଦୋଳନକାରୀ ମୋଦୀଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ ଓ ଭଙ୍ଗାରୁଜା କରିଥିବା ବେଳେ ପୁଲିସ ଗୁଳି ଚାଳନା କରିଥିଲା। ଏଥିରେ ୪ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଯାଇଛି। ମିଳିଥିବା ସୂଚନାନୁଯାୟୀ, ଆନ୍ଦୋଳନକାରୀମାନେ ଏକ ଥାନା ମଧ୍ୟକୁ ପଶି ଯାଇଥିଲେ ଏବଂ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଫଳରେ ପୁଲିସ ଟିୟର ଗ୍ୟାସ୍‌ ପ୍ରୟୋଗ କରିବା ସହ ରବର୍‌ ବୁଲେଟ୍‌ ବ୍ୟବହାର କରିଥିଲା। ଏଥିଯୋଗୁଁ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର