ଢାକା: ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ନଭେମ୍ବର ୨୫ ତାରିଖରେ ଢାକା ପୁଲିସ୍ ଗିରଫ କରିଥିଲା। ଜାନୁଆରି ୨ ତାରିଖ (ଗୁରୁବାର) ବାଂଲାଦେଶର ଚଟ୍ଟଗ୍ରାମର ଏକ କୋର୍ଟ ଜେଲରେ ଥିବା ହିନ୍ଦୁ ସାଧୁଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।
ଢାକାରୁ ଚଟ୍ଟଗ୍ରାମ ଯାଇଥିବା ସୁପ୍ରିମ୍କୋର୍ଟର ଏକ ୧୧ ଜଣିଆ ଓକିଲ ଦଳ ଜାମିନ ଆବେଦନକୁ ନେଇ ପ୍ରାୟ ୩୦ ମିନିଟ୍ ଧରି ଯୁକ୍ତି ବାଢ଼ିଥିଲେ। ୩୦ ମିନିଟ୍ର ଯୁକ୍ତି ପରେ ମେଟ୍ରୋପଲିଟାନ୍ ସେସନ୍ସ ଜଜ୍ ଏମ ସାଇଫୁଲ ଇସଲାମ ଚିନ୍ମୟ ଦାସଙ୍କ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି।
ବାଂଲାଦେଶର ପୂର୍ବତନ ଡେପୁଟି ଆଟର୍ଣ୍ଣି ଜେନେରାଲ ଥିବା ଅପୂର୍ବା କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘‘ଆମେ କୋର୍ଟରେ ଆମର ଯୁକ୍ତି ଉପସ୍ଥାପନ କରିଛୁ। କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆମେ ହାଇକୋର୍ଟକୁ ଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବୁ।" ଦୈନିକ ଷ୍ଟାର ଅନୁଯାୟୀ ଚିନ୍ମୟ କୃଷ୍ଣ ଦାସଙ୍କୁ ଗୁରୁବାର କୋର୍ଟରେ ହାଜର କରାଯାଇ ନାହିଁ।
ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯିବା ପରେ ଏହାକୁ ନେଇ ଭାରତ ସମେତ ସାରା ବିଶ୍ବରେ ଥିବା ହିନ୍ଦୁମାନଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ସତ୍ତ୍ବେ ବାଂଲାଦେଶ ସରକାର ଚିନ୍ମୟ ଦାସଙ୍କୁ ଏପର୍ଯ୍ୟନ୍ତ ମୁକ୍ତ କରିନାହାନ୍ତି ।