ଢାକା: ବାଂଲାଦେଶରେ ନିର୍ବାଚନ ପାଇଁ ଦାବି ବଢ଼ୁଥିବା ବେଳେ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ କହିଛନ୍ତି ଯେ ଦେଶର ପରବର୍ତ୍ତୀ ସାଧାରଣ ନିର୍ବାଚନ ଚଳିତ ବର୍ଷ ଡିସେମ୍ବରରୁ ଜୁନ୍ ୨୦୨୬ ମଧ୍ୟରେ ଯେକୌଣସି ସମୟରେ ହୋଇପାରେ।  ନିର୍ବାଚନ ଦାବିରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି) ପକ୍ଷରୁ ଢାକାରେ ଏକ ବିଶାଳ ରାଲି ଆୟୋଜନ କରାଯାଇଥିବା ବେଳେ ବର୍ତ୍ତମାନ ଜାପାନ ଗସ୍ତରେ ଥିବା  ମହମ୍ମଦ ୟୁନୁସ ଟୋକିଓରେ ଏକ  ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯେ ପରବର୍ତ୍ତୀ ଜାତୀୟ ନିର୍ବାଚନ ୨୦୨୫ ଡିସେମ୍ବରରୁ ଜୁନ୍ ୨୦୨୬ ଭିତରେ ହୋଇପାରେ।

Advertisment

ବିଳମ୍ବ ଗ୍ରହଣୀୟ ନୁହେଁ: ବିଏନ୍‌ପି

ୟୁନୁସ କହିଛନ୍ତି, ରାଜନେତାମାନେ କ୍ଷମତା ପାଇଁ ଅଧୀର ହୋଇଥିବାରୁ ନିର୍ବାଚନ କେବେ ହେବ ତାହା କହିବାକୁ ଜିଦ୍ ଧରିଛନ୍ତି ଏବଂ ଏଥିପାଇଁ ମୁଁ ସମୟସୀମା ଘୋଷଣା କରୁଛି । ତେବେ ନିର୍ବାଚନ ପୂର୍ବରୁ ଆମେ କେତେ ଶୀଘ୍ର ସଂସ୍କାର କରିପାରିବା ତାହା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ଡିସେମ୍ବର ସୁଦ୍ଧା ନିର୍ବାଚନ କରାଇବା ପାଇଁ ବିଏନ୍‌ପି ରାଜଧାନୀ ଢାକା ସମେତ ଏକାଧିକ ସହରରେ ବଡ଼ ଧରଣର ରାଲି କରିଛି। ବିଏନ୍‌ପିର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ୍ ରେହମାନ ଅନ୍ତରୀଣ ସରକାରଙ୍କୁ କଡ଼ା ଚେତାବନୀ ଦେଇ ନିର୍ବାଚନକୁ ବିଳମ୍ବିତ ନ କରିବାକୁ ଅନୁରୋଧ କରିଛନ୍ତି। ନିର୍ବାଚନ କରାଇବାରେ ଅଧିକ ବିଳମ୍ବ କଦାପି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।