ବାଂଲାଦେଶରେ ଦେବୀ କାଳୀ ଓ ସରସ୍ୱତୀଙ୍କ ମନ୍ଦିରକୁ ଭାଙ୍ଗିଲେ ଉଗ୍ରପନ୍ଥୀ, କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତା ଅବରୋଧ କଲେ ସଂଖ୍ୟାଲଘୁ ହିନ୍ଦୁ

ଢ଼ାକା: ବାଂଲାଦେଶର ଦିନାଜପୁର ଏବଂ ସିରାଜଗଞ୍ଜରେ ଉଗ୍ରବାଦୀମାନେ ଦୁଇଟି ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ଅକ୍ଟୋବର ୨୪ ତାରିଖ ମଧ୍ୟରାତ୍ରିରେ ଦିନାଜପୁର ଜିଲ୍ଲାରେ ଦେବୀ କାଳୀଙ୍କ ଏକ ମନ୍ଦିରରେ ଉଗ୍ରବାଦୀମାନଙ୍କ ଦ୍ୱାରା ଭଙ୍ଗାରୁଜା କରାଯାଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଅକ୍ଟୋବର ୨୩ରେ ସିରାଜଗଞ୍ଜର କାଲାଚାନ୍ଦ ମନ୍ଦିର ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ। କାଲାଚାନ୍ଦ ମନ୍ଦିରର ସଭାପତି କହିଛନ୍ତି ଯେ ଭଙ୍ଗାରୁଜା ଯୋଗୁଁ ମନ୍ଦିରରେ ଦେବୀ ସରସ୍ୱତୀଙ୍କ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛନ୍ତି।

ଦିନାଜପୁରର କାଳୀ ମନ୍ଦିର ଭଙ୍ଗାରୁଜା କରିବା ଘଟଣାରେ ପୁଲିସ ଚାରି ଜଣଙ୍କୁ ଗିରଫ କରିଥିବାବେଳେ ସିରାଜଗଞ୍ଜରେ ମନ୍ଦିର ଭଙ୍ଗାରୁଜା ଘଟଣାରେ ଏ ପର୍ଯ୍ୟନ୍ତ କାହାରିକି ଗିରଫ କରି ନାହିଁ। ସିରାଜଗଞ୍ଜ ସଦର ପୁଲିସ ଷ୍ଟେସନର ଭାରପ୍ରାପ୍ତ ଅଧିକାରୀ ହୁମାୟାନ କବୀର କହିଛନ୍ତି ଯେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ। କାଳୀ ମନ୍ଦିର ଭଙ୍ଗାରୁଜା ଅଭିଯୋଗରେ ରାସେଦ (୨୨), ବେଲାଲ (୨୪), ରକି (୨୦) ଏବଂ ତୁଷାର (୨୨)ଙ୍କୁ ଗିରଫ କରାଯାଇଛି।

ଏହି ଘଟଣା ପରେ ଏକ ବଡ଼ ଧରଣର ବିକ୍ଷୋଭ ଆରମ୍ଭ ହୋଇଥିଲା, ହିନ୍ଦୁ ସମ୍ପ୍ରଦାୟ କାଳୀ ମନ୍ଦିର ଭଙ୍ଗାରୁଜାକୁ ବିରୋଧ କରିବା ପାଇଁ ଦିନାଜପୁର-ରଙ୍ଗପୁର ରାଜପଥକୁ ଦୁଇ ଘଣ୍ଟା ପାଇଁ ଅବରୋଧ କରିଥିଲେ। ପରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀଙ୍କ ଆଶ୍ୱାସନା ପରେ ଏହି ବିକ୍ଷୋଭ ପ୍ରତ୍ୟାହାର କରାଯାଇଥିଲା।

ସମ୍ବନ୍ଧିତ ଖବର