ନୂଆଦିଲ୍ଲୀ: ବାଂଲାଦେଶର ଭିଡ଼ ହିଂସାରେ ପ୍ରାଣ ହରାଇଲେ ପ୍ରଯୋଜକ ଓ ତାଙ୍କ ପୁଅ। ସଂରକ୍ଷଣ ବିରୋଧୀ ନିଆଁରେ ଜଳୁଥିବା ବାଂଲାଦେଶରୁ ଏହି ହୃଦୟ ବିଦାରକ ଖବର ଆସିଛି। ବାଂଲାଦେଶୀ ଚଳଚ୍ଚିତ୍ର ନିର୍ମାତା ସଲିମ ଖାନ ଏବଂ ତାଙ୍କ ପୁଅ ଶାନ୍ତୋ ଖାନଙ୍କୁ ବିକ୍ଷୋଭକାରୀମାନେ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି। ନିର୍ମାତା ହେବା ବ୍ୟତୀତ ସଲିମ ଖାନ ବାଂଲାଦେଶର ଚାନ୍ଦପୁର ଉପଜିଲ୍ଲାରେ ଲକ୍ଷ୍ମୀପୁର ମଡେଲ ୟୁନିଅନ ପରିଷଦର ଅଧ୍ୟକ୍ଷ ମଧ୍ୟ ଥିଲେ।
ରିପୋର୍ଟରୁ ଜଣାପଡିଛି ଯେ, ଅଗଷ୍ଟ ୫ ସୋମବାର ଦିନ ସଲିମ ଏବଂ ଶାନ୍ତୋ ସେମାନଙ୍କ ଘରୁ ପଳାଇବାକୁ ଚେଷ୍ଟା କରୁଥିଲେ। ହେଲେ ଫରାକାବାଦ ବଜାରର ବଲିଆ ୟୁନିଅନରେ ତାଙ୍କ ଉପରେ କ୍ରୋଧିତ ବିକ୍ଷୋଭକାରୀ ଆକ୍ରମଣ କରିଥିଲେ। ସେ ନିଜକୁ ରକ୍ଷା କରିବା ପାଇଁ ପିସ୍ତଲରୁ ଗୁଳି ଚଳାଇଥିଲେ ମଧ୍ୟ କିଛି ବାଟ ଯିବା ପରେ ବାଗରା ବଜାରରେ ପୁଣି ସେମାନଙ୍କୁ ବିକ୍ଷୋଭକାରୀ ଘେରି ଯାଇଥିଲେ। କୁହାଯାଉଛି ଯେ ସଲିମ ଏବଂ ତାଙ୍କ ପୁଅ ଶାନ୍ତୋଙ୍କୁ କ୍ରୋଧିତ ବିକ୍ଷୋଭକାରୀମାନେ ସେଠାରେ ପିଟିପିଟି ହତ୍ୟା କରିଥିଲେ।
କୁହାଯାଉଛି ଯେ, ସଲିମ୍ ବେଙ୍ଗୋଲି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଥିଲେ। ସେ ପ୍ରାୟ ୧୦ଟି ବେଙ୍ଗୋଲି ଫିଲ୍ମର ପ୍ରଯୋଜନା କରିଥିବା ବେଳେ ଫିଲ୍ମଗୁଡ଼ିକ ରିଲିଜ୍ ଅପେକ୍ଷାରେ ଥିବା ଜଣାପଡ଼ିଛି।