ଢାକା: ବାଂଲାଦେଶ ଯୌନ ହିଂସାର ଏକ ଭୟଙ୍କର ସ୍ଥିତିର ସମ୍ମୁଖୀନ ହେଉଛି। ବିଶେଷକରି ହିନ୍ଦୁ, ଖ୍ରୀଷ୍ଟିଆନ, ବୌଦ୍ଧ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳା ଏବଂ ନାବାଳିକାମାନଙ୍କୁ ଅଧିକ ଟାର୍ଗେଟ କରାଯାଉଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଅମଳରେ ଏହା ଅଧିକ ହେବାରେ ଲାଗିଛି। ଏନେଇ ବାଂଲାଦେଶ ମାନବାଧିକାର କଂଗ୍ରେସ ଫର୍ ମାଇନୋରିଟିଜ୍ (ଏଚଆରସିବିଏମ) ପକ୍ଷରୁ ଏକ ରି‌ପୋର୍ଟ ପ୍ରକାଶ ପା‌ଇଛି।

Advertisment

ଢାକା ସ୍ଥିତ ମାନବାଧିକାର ସଂଗଠନ ଏନ୍ ଓ ସାଲିଶ୍ କେନ୍ଦ୍ର(ଏଏସକେ)ର ରିପୋର୍ଟ ଆଧାରରେ ଏଚଆରସିବିଏମ କହିଛି ଯେ, ୨୦୨୫ ର ପ୍ରଥମ ତ୍ରୈମାସିକର ତିନି ମାସରୁ କମ୍ ସମୟ ମଧ୍ୟରେ ୩୪୨ ଦୁଷ୍କର୍ମ ମାମଲା ସରକାରୀ ଭାବରେ ପଞ୍ଜିକୃତ ହୋଇଛି।ଏହି ମାମଲାରେ ୮୭ ପ୍ରତିଶତ ପୀଡିତା ୧୮ ବର୍ଷରୁ କମ୍ ବୟସର ଝିଅ ଥିଲେ। lସେଥି ମଧ୍ୟରୁ ୪୦ଜଣ ପୀଡିତା ଶିଶୁ ଏବଂ ଛଅ ବର୍ଷ ବୟସର ପିଲା ଥିଲେ। ଦେଶରେ ଗଣଦୁଷ୍କର୍ମ ବୃଦ୍ଧି ପାଉଛି।

ପୀଡିତାଙ୍କ ମଧ୍ୟରୁ ଅଧିକାଂଶ ସଂଖ୍ୟାଲଘୁ ସମ୍ପ୍ରଦାୟର ନାବାଳିକା। ଅଧିକାର ସଂଗଠନ ଅନୁଯାୟୀ, ଏହି ଭୟଙ୍କର ସଂଖ୍ୟା କେବଳ ସରକାରୀ ରିପୋର୍ଟର ଏକ ଛୋଟ ଅଂଶ। ପ୍ରକୃତ ସଂଖ୍ୟା ରିପୋର୍ଟରୁ ବହୁଗୁଣା ଅଧିକ। ଭୟ ଯୋଗୁ ଅନେକ ମୁହଁ ନଖୋଲି ନୀରବ ରହୁଛନ୍ତି। ବାଂଲାଦେଶରେ ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମର ଅଧିକାଂଶ ମାମଲା ସାମାଜିକ କଳଙ୍କ, ପ୍ରତିଶୋଧର ଭୟ ଏବଂ ନ୍ୟାୟ ବ୍ୟବସ୍ଥା ପ୍ରତି ଅବିଶ୍ୱାସ ଯୋଗୁ ରିପୋର୍ଟ ହୋଇନାହିଁ। ସଂଖ୍ୟାଲଘୁ ମହିଳା ଏବଂ ଝିଅମାନଙ୍କ କ୍ଷେତ୍ରରେ ଏହି ନୀରବତା ଅଧିକ ରହିଛି। ଆଇନ ପ୍ରବର୍ତ୍ତନ ଏବଂ ନିମ୍ନ ଅଦାଲତଗୁଡ଼ିକରେ ଧାର୍ମିକ ପକ୍ଷପାତିତା କରାଯାଉଥିବାର ଅଭିଯୋଗ ହେଉଛି। ଫଳରେ ପୀଡ଼ିତାଙ୍କ ପରିବାରଙ୍କ ପାଇଁ ନ୍ୟାୟରେ ବାଧା ସୃଷ୍ଟି ହେଉଛି। ଯାହା ଫଳରେ ଅପରାଧ ରିପୋର୍ଟ ହେଉନାହିଁ। ଫଳରେ ଅପରାଧୀ ଦଣ୍ଡ ନପାଇ ଖୋଲା ବୁଲୁଥିବା ଅଭିଯୋଗ ହେଉଛି।

ଅନେକ ମାମଲାରେ, ଅନେକ ମହିଳା ଏବଂ ଝିଅମାନଙ୍କ ମୁଣ୍ଡ ନଥିବା ମୃତଦେହ ମିଳିଛି। ଯାହା ଫଳରେ ସେମାନଙ୍କୁ ଚିହ୍ନଟ କରିବା ଅସମ୍ଭବ ହୋଇପଡ଼ିଛି। ଏହା ଅପରାଧୀଙ୍କ ବର୍ବରତାକୁ ଦର୍ଶାଉଛି ବୋଲି ଏଚଆରସିବିଏମ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି।

ୟୁନୁସଙ୍କ ଶାସନ କାଳରେ ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଇଙ୍ଗିତ କରି ମାନବାଧିକାର ସଂଗଠନ କହିଛି ଯେ, ଭିତ୍ତିହୀନ ଅଭିଯୋଗ ଏବଂ ବଢ଼ୁଥିବା ଜନସାଧାରଣଙ୍କ କ୍ରୋଧ ସତ୍ତ୍ୱେ, ବାଂଲାଦେଶ ସମ୍ମିଳିତୋ ସନାତନୀ ଜାଗରଣ ଜୋତର ଜଣେ ପ୍ରମୁଖ ହିନ୍ଦୁ ନେତା ଏବଂ ମୁଖପାତ୍ର ଚିନ୍ମୟ କୃଷ୍ଣ ଦାସ ୨୦୨୪ ନଭେମ୍ବର ମାସରୁ ଜେଲ୍‌ରେ ଅଛନ୍ତି।

ମାନବାଧିକାର ସଂସ୍ଥା କହିଛି ଯେ, ବାଂଲାଦେଶ ସୁପ୍ରିମକୋର୍ଟର ଆପିଲେଟ୍ ଡିଭିଜନରେ ବର୍ତ୍ତମାନ ବିଚାରାଧୀନ ଥିବା ତାଙ୍କ ଜାମିନ ଆବେଦନର ମାସ ମାସ ଧରି ସମାଧାନ ହୋଇନାହିଁ। ସେବେଠାରୁ, ସେ ମିଥ୍ୟା ହତ୍ୟା ଅଭିଯୋଗ ସମେତ ଅନେକ ମନଗଢ଼ା ମାମଲାରେ ଫସି ରହିଛନ୍ତି। ଏଚଆରସିବିଏମ ପ୍ରଶ୍ନ କରିଛି, ତାଙ୍କର ଏକମାତ୍ର ଅପରାଧ କ୍ଷମତା ସମ୍ମୁଖରେ ସତ୍ୟ କହିବା ଏବଂ ବାଂଲାଦେଶର ଅବହେଳିତ ଲୋକଙ୍କ ଅଧିକାର ପାଇଁ ମନ୍ତବ୍ୟ ଦେବା।

India | Bangladesh