ନାଗରିକତା ବିଲକୁ ନେଇ ବାଂଲାଦେଶ କ୍ଷୁବ୍ଧ, ଭାରତ ଗସ୍ତ ବାତିଲ କଲେ ବାଂଲା ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ଭାରତର ନାଗରିକତା (ସଂଶୋଧନ) ଆଇନକୁ ନେଇ କ୍ଷୁବ୍ଧ ହୋଇଛି ବାଂଲାଦେଶ । ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କ ଉପରେ ଆକ୍ରମଣ ହେଉଛି ବୋଲି ଗୃହମନ୍ତ୍ରୀ ଅମିତ ଶାହା କରିଥିବା ଦାବିକୁ ଖଣ୍ଡନ କରିଛନ୍ତି ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେ. ଅବଦୁଲ ମୋମେନ । ଏହା ସହିତ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବକ୍ତବ୍ୟକୁ ବିରୋଧ କରି ସେ ନିଜର ଦୁଇଦିନିଆ ଭାରତ ଗସ୍ତକୁ ମଧ୍ୟ ବାତିଲ କରିଦେଇଛନ୍ତି ।

ମୋମେନ କହିଛନ୍ତି ଯେ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ବେଶ ନିବିଡ଼ । ଏଣୁ ବାଂଲାଦେଶର ଲୋକମାନେ ଚାହାନ୍ତି ଯେ ଭାରତ ସେମାନଙ୍କୁ ସମସ୍ୟାରେ ପକାଇଲା ଭଳି କିଛି କରିବା ଉଚିତ ନୁହେଁ ।

ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହୋଇଥିବା ନାଗରିକତା (ସଂଶୋଧନ) ବିଲ୍‌-୨୦୧୯ରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ । ଏହା ଭାରତୀୟ ସମ୍ବିଧାନର ବିରୁଦ୍ଧାଚରଣ କରୁଛି ବୋଲି କଂଗ୍ରେସ ଓ ଅନ୍ୟ ବିରୋଧୀଦଳମାନେ କହୁଛନ୍ତି । ଉଭୟ ପାକିସ୍ତାନ ଓ ବାଂଲାଦେଶ ନିଜ ନିଜ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଥିବା ଖବରକୁ ଖଣ୍ଡନ କରିଛନ୍ତି ।

ସମ୍ବନ୍ଧିତ ଖବର