ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ୟୁନୁସ ଆମେରିକାର ଇସାରାରେ ଦେଶକୁ ବିକ୍ରି କରୁଛନ୍ତି ଏବଂ ଆତଙ୍କବାଦୀଙ୍କ ସହାୟତାରେ ସରକାର ଚଳାଉଛନ୍ତି। ଦେଶରେ ପୁଣି ଥରେ ସରକାର ବିରୋଧୀ ଅସନ୍ତୋଷ ତୀବ୍ର ହୋଇଥିବା ବେଳେ ହସିନାଙ୍କ ଏହି ବୟାନ ଚର୍ଚ୍ଚାରେ ରହିଛି। ଏକ ଫେସ୍ ବୁକ୍ ପୋଷ୍ଟରେ ହସିନା କହିଛନ୍ତି ଯେ ତାଙ୍କ ପିତା ତଥା ବାଂଲାଦେଶର ପ୍ରତିଷ୍ଠାତା ବଙ୍ଗବନ୍ଧୁ ଶେଖ୍ ମୁଜିବୁର୍ ରେହମାନ୍ ଆମେରିକାକୁ ସେଣ୍ଟମାର୍ଟିନ୍ ଦ୍ୱୀପ ଦେବାକୁ ମନା କରିଥିଲେ ଏବଂ ଏଥିପାଇଁ ତାଙ୍କୁ ଜୀବନ ଦେବାକୁ ପଡ଼ିଥିଲା। ‘ଯେତେବେଳେ ଆମେରିକା ସେଣ୍ଟମାର୍ଟିନ୍ ଦ୍ୱୀପ ମାଗିଲା, ମୋ ବାପା ମନା କରିଦେଲେ। କ୍ଷମତାରେ ରହିବା ପାଇଁ ଦେଶକୁ ବିକ୍ରି କରିବାକୁ ମୁଁ କଳ୍ପନା ବି କରିପାରିବି ନାହିଁ। ଯେଉଁ ଦେଶ ପାଇଁ ୩୦ ଲକ୍ଷ ଲୋକ ପ୍ରାଣବଳି ଦେଇଛନ୍ତି, ସେହି ଦେଶ କାହାକୁ ଏକ ଇଞ୍ଚ ଜମି ବି କେମିତି ଦେଇପାରିବ’ ବୋଲି ହସିନା ପ୍ରଶ୍ନ କରିଛନ୍ତି।
ୟୁନୁସ ଦେଶକୁ ଆମେରିକାକୁ ବିକ୍ରି କରିଦେଇଛନ୍ତି
ହସିନା ଅଭିଯୋଗ କରିଛନ୍ତି ଯେ ୟୁନୁସ ଆତଙ୍କବାଦୀ ଏବଂ ନିଷିଦ୍ଧ ସଂଗଠନମାନଙ୍କ ସହାୟତାରେ କ୍ଷମତା ଦଖଲ କରିଛନ୍ତି। ସେମାନେ ଆତଙ୍କବାଦୀଙ୍କ ସହାୟତାରେ କ୍ଷମତା ଛଡ଼ାଇ ନେଇଛନ୍ତି। ଯେଉଁ ଆତଙ୍କବାଦୀଙ୍କଠାରୁ ଆମେ ବାଂଲାଦେଶର ଲୋକଙ୍କୁ ବଞ୍ଚାଇଥିଲୁ, ସେମାନେ ଆଜି ଖୋଲାଖୋଲି ଭାବେ ସାମ୍ନାକୁ ଆସି ଦେଶ ଚଳାଉଛନ୍ତି। ଜେଲ୍ ଖାଲି କରାଯାଇଛି ଏବଂ ଆତଙ୍କୀମାନେ ସବୁକିଛି ନିୟନ୍ତ୍ରଣ କରୁଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତାଙ୍କ ଦଳ ଆୱାମୀ ଲିଗ୍ ଉପରେ ଲାଗିଥିବା ନିଷେଧାଦେଶକୁ ଅସାମ୍ବିଧାନିକ ଏବଂ ଅଗଣତାନ୍ତ୍ରିକ ବୋଲି କହିଛନ୍ତି। ଅନ୍ତରୀଣ ସରକାରଙ୍କର ସମ୍ବିଧାନ ସହ ଖେଳିବାର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି। ଆମ ସମ୍ବିଧାନର ମୂଳଦୁଆ ମୁକ୍ତି ସଂଗ୍ରାମ ଓ ସଂଘର୍ଷ ଦ୍ୱାରା ଗଠିତ ହୋଇଛି। ବେଆଇନ ଭାବେ ଏବେ କ୍ଷମତାରେ ଥିବା ଲୋକଙ୍କ ପଛରେ ଜନମତ ନାହିଁ କି ସାମ୍ବିଧାନିକ ଆଧାର ନାହିଁ। ୟୁନୁସ ଯେଉଁ ପଦବିରେ ଅଛନ୍ତି ତାହାର କୌଣସି ଆଇନଗତ ଅସ୍ତିତ୍ୱ ନାହିଁ। ସଂସଦ ବିନା ଆଇନ ବଦଳାଇବା ସମ୍ପୂର୍ଣ୍ଣ ବେଆଇନ ବୋଲି ହସିନା କହିଛନ୍ତି। ରାଜନୈତିକ ବିଶ୍ଳେଷକଙ୍କ ମତରେ ହସିନାଙ୍କ ଏହି ବୟାନ ଆଗାମୀ ଦିନରେ ବାଂଲାଦେଶ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ହୋଇପାରେ।