ଢାକା: ବାଂଲାଦେଶରେ ପୁଣି ଅଶାନ୍ତି ଏବଂ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ ଆନ୍ଦୋଳନକାରୀମାନେ ରାଷ୍ଟ୍ରପତିଙ୍କ ବାସଭବନ ତଥା ବଙ୍ଗଭବନ ଭଙ୍ଗାରୁଜା କରିଛନ୍ତି। ଗତ ଅଗଷ୍ଟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ସଂକ୍ରାନ୍ତରେ ମିଛ କହିଥିବା ଅଭିଯୋଗରେ ଆନ୍ଦୋଳନକାରୀମାନେ ତାଙ୍କ ଇସ୍ତଫା ଦାବି କରିଛନ୍ତି। ଦୀର୍ଘ ମାସ ବ୍ୟାପୀ ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ସଙ୍କଟ ପାଇଁ ଶେଖ୍ ହସିନାଙ୍କ ୧୬ ବର୍ଷର ଶାସନର ଅନ୍ତ ହେବାପରେ ଏବେ ପୁଣି ବାଂଲାଦେଶରେ ନୂଆ ଉତ୍ତେଜନା ଦେଖିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ରାଷ୍ଟ୍ରପତି ଶାହବୁଦ୍ଦିନ ଏକ ସ୍ଥାନୀୟ ଖବରକାଗଜକୁ କହିଥିଲେ ଯେ ଅଗଷ୍ଟ ୫ ତାରିଖରେ ଶେଖ୍ ହସିନା ଇସ୍ତଫା ଦେଇଛନ୍ତି ବୋଲି ତାଙ୍କ ପାଖରେ କିଛି ପ୍ରମାଣ ନାହିଁ ଏବଂ ସେ କେବଳ ଏହା ଶୁଣିଛନ୍ତି। ରାଷ୍ଟ୍ରପତି କହିଥିଲେ, ମୁଁ ଇସ୍ତଫାପତ୍ର ସଂଗ୍ରହ କରିବାପାଇଁ ଅନେକ ଥର ଚେଷ୍ଟା କରି ବିଫଳ ହୋଇଛି। ବୋଧହୁଏ ଶେଖ୍ ହସିନାଙ୍କ ପାଖରେ ଏଥିପାଇଁ ସମୟ ନଥିଲା। କିନ୍ତୁ ଏହା ପୂର୍ବରୁ ଅଗଷ୍ଟ ୫ ତାରିଖରେ ରାଷ୍ଟ୍ରପତି ସର୍ବସାଧାରଣରେ ଉଦ୍ବୋଧନ ଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତାଙ୍କ ଇସ୍ତଫାପତ୍ର ଦେଇଛନ୍ତି ଏବଂ ମୁଁ ତାହା ଗ୍ରହଣ କରିଛି। ଏବେ ରାଷ୍ଟ୍ରପତି ତାଙ୍କ ବୟାନ ବଦଳାଇବାରୁ ପୁଣି ଆନ୍ଦୋଳନ ଆରମ୍ଭ ହୋଇଛି। ହଜାର ହଜାର ଆନ୍ଦୋଳନକାରୀ ଆଜି ମଧ୍ୟ ରାଷ୍ଟ୍ରପତିଙ୍କ ବାସଭବନ ଘେରାଉ କରିଛନ୍ତି। ଯଦି ହସିନା ଇସ୍ତଫା ଦେଇନଥିବା ପ୍ରମାଣିତ ହୁଏ, ତା’ହେଲେ ବର୍ତ୍ତମାନର ଅନ୍ତରୀଣ ସରକାର ବୈଧ ସାବ୍ୟସ୍ତ ହୋଇପାରିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/24/pMkBJBMatgE0MJS7mzfH.jpg)