ଢାକା: ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ ଅନ୍ୟ ୧୨ ଜଣଙ୍କ ବିରୋଧରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜବରଦସ୍ତ ନିଖୋଜ ଏବଂ ନ୍ୟାୟବିହୀନ ହତ୍ୟା ମାମଲାରେ ଦ୍ବିତୀୟ ଗିରଫ ପରୱାନା ଜାରି କରିଛନ୍ତି। ହସିନାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ହାଜର ପାଇଁ ଟ୍ରିବ୍ୟୁନାଲ ଫେବ୍ରୁଆରି ୧୨ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିଛନ୍ତି।
ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ମେଜର ଜେନେରାଲ (ଅବସରପ୍ରାପ୍ତ) ତାରିକ୍ ଅହମଦ ସିଦ୍ଦିକି, ଯିଏ ହସିନାଙ୍କ ପ୍ରତିରକ୍ଷା ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ; ପୂର୍ବତନ ପୁଲିସ ଆଇଜି ବେନଜିର ଅହମଦ ଏବଂ ନ୍ୟାସନାଲ ଟେଲିକମ୍ୟୁନିକେସନ ମନିଟରିଂ ସେଣ୍ଟର (ଏନ୍ଟିଏମ୍ସି)ର ପୂର୍ବତନ ମହାନିର୍ଦ୍ଦେଶକ ଜିଆଉଲ ଅହସାନ। ୨୦୨୪ ଅଗଷ୍ଟରେ ଛାତ୍ରଙ୍କ ନେତୃତ୍ବାଧୀନ ବିପ୍ଳବ ଦ୍ୱାରା କ୍ଷମତାଚ୍ୟୁତ ହେବା ପରେ ଭାରତ ପଳାଇ ଆସିଥିବା ୭୭ ବର୍ଷୀୟା ହସିନାଙ୍କ ବିରୋଧରେ ଏହା ହେଉଛି ଦ୍ୱିତୀୟ ମାମଲା। ୱାରେଣ୍ଟ ଜାରି ହେବା ପରେ ହସିନାଙ୍କୁ ଗିରଫ କରିବା ପାଇଁ ଆଇସିଟି-ବାଂଲାଦେଶ ଇଣ୍ଟରପୋଲର ସହାୟତା ଲୋଡ଼ିଥିବା ଜଣାଯାଇଛି। ଏହାବ୍ୟତୀତ ବାଂଲାଦେଶ ତାଙ୍କ ପ୍ରତ୍ୟର୍ପଣ ପାଇଁ ଆନୁଷ୍ଠାନିକ ଭାବେ ଭାରତକୁ ଅନୁରୋଧ କରିଛି। ୨୦୨୪ ଅକ୍ଟୋବରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ ଅନ୍ୟ ୪୫ ଜଣଙ୍କ ବିରୋଧରେ ପ୍ରଥମ ଗିରଫ ପରୱାନା ଜାରି କରାଯାଇଥିଲା। ନଭେମ୍ବର ୧୮ ସୁଦ୍ଧା ହସିନାଙ୍କ ସମେତ ୪୬ ଜଣଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ଟ୍ରିବ୍ୟୁନାଲ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/07/YAsxvlsFs8WzScqgHSkt.jpg)