ଢାକା: ଚୀନରୁ ଋଣ ନେଇ ଶ୍ରୀଲଙ୍କା ଓ ପାକିସ୍ତାନ ସମସ୍ୟାରେ ପଡ଼ିବା ପରେ ସତର୍କ ହୋଇଉଠିଛି ଭାରତର ଆଉ ଏକ ପଡ଼ୋଶୀ ଦେଶ ବାଂଲାଦେଶ । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମଙ୍ଗଳବାର କହିଛନ୍ତି ଯେ ତାଙ୍କ ସରକାର ଚୀନ୍ ସହ ବିକାଶ ଭାଗିଦାରୀକୁ ନେଇ ଅତ୍ୟନ୍ତ ସତର୍କ ଅଛି ଏବଂ ବିଦେଶୀ ସହାୟତା ପାଇଁ ଢାକା କୌଣସି ନିର୍ଦ୍ଦିଷ୍ଟ ଦେଶ ଉପରେ ନିର୍ଭରଶୀଳ ନୁହେଁ। ଋଣ ନେବାବେଳେ ତାଙ୍କ ଦେଶ ସତର୍କ ରହୁଛି ।
ସିଏନଏନକୁ ଦେଇଥିବା ଏକ ସାକ୍ଷାତକାରରେ ହସିନା କହିଛନ୍ତି, ଋଣ ନେବା କ୍ଷେତ୍ରରେ ଆମେ ବହୁତ ସତର୍କ ରହୁଛୁ। ଅଧିକାଂଶ ସମୟରେ ଆମେ ବିଶ୍ୱ ବ୍ୟାଙ୍କ କିମ୍ବା ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଭଳି ଅନୁଷ୍ଠାନରୁ ଋଣ ନେଇଥାଉ । ଆମେ ଚାଇନାଠାରୁ ବହୁତ କମ୍ ଋଣ ନେଇଛୁ । ବାଂଲାଦେଶ ଚୀନର ନିକଟତର ହେଉଥିବା ସଂପର୍କରେ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ ହସିନା କହିଥିଲେ ଯେ ବାଂଲାଦେଶ ସେହି ସବୁ ଦେଶର ଅତି ନିକଟତର, ଯେଉଁମାନେ ତାହାର ବିକାଶରେ ସହାୟତା କରନ୍ତି ।
ସୂଚନାଯୋଗ୍ୟ, ବିଶ୍ୱର କ୍ଷୁଦ୍ର ଦେଶମାନଙ୍କ ଉପରେ ଚୀନର ବଢ଼ୁଥିବା ଋଣକୁ ନେଇ ଏବେ ଚିନ୍ତାର ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ରୀଲଙ୍କା ହାମ୍ବନଟୋଟା ବନ୍ଦରକୁ ୯୯ ବର୍ଷ ପାଇଁ ଲିଜ୍ ରେ ଚୀନ୍ କୁ ହସ୍ତାନ୍ତର କରିବା ପରେ ଚୀନର ମହତ୍ୱାକାଂକ୍ଷୀ ବେଲ୍ଟ ଆଣ୍ଡ ରୋଡ୍ ପ୍ରକଳ୍ପକୁ ନେଇ ଫସିଯାଇଛି ପାକିସ୍ତାନ । କ୍ଷୁଦ୍ର ଦେଶମାନଙ୍କରେ କୋଟି କୋଟି ଡଲାର ମୂଲ୍ୟର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପରେ ଚୀନ୍ ର ସହାୟତାର ଖରାପ ପ୍ରଭାବକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/seikh-hasina.jpg)