ଶେଖ୍‌ ହାସିନାଙ୍କ ୪ ଦିନିଆ ଭାରତ ଗସ୍ତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା

ତିସ୍ତା ଜଳ ଆବଣ୍ଟନ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ୪ ଦିନିଆ ଭାରତ ଗସ୍ତ। ଏହି ଅବସରରେ ଶେଖ୍‌ ହାସିନା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଙ୍କ ମଧ୍ୟରେ ବହୁ ପ୍ରସଙ୍ଗରେ ଆଲୋଚନା ହେବ। ଗସ୍ତ କାଳରେ ଶେଖ୍‌ ହାସିନା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ତିସ୍ତା ଜଳ ଆବଣ୍ଟନ ଶେଖ୍‌ ହାସିନାଙ୍କ ଭାରତ ଗସ୍ତର ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଜଣାପଡ଼ିଛି। ‘ୱାର୍ଲ‌୍ଡ଼ ଇକୋନମିକ୍‌ ଫୋରମ୍‌’ ପକ୍ଷରୁ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଅର୍ଥନୈତିକ ସମ୍ମିଳନୀରେ ଶେଖ୍‌ ହାସିନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ୩ ଓ ୪ ତାରିଖ ଦୁଇଦିନ ହେବାକୁ ଥିବା ଏହି ଅର୍ଥନୈତିକ ସମ୍ମିଳନୀରେ ୪୦ ଦେଶର ୮୦୦ ନେତା ଅଂଶଗ୍ରହଣ କରିଛନ୍ତି। ଗତ ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ଏହା ଶେଖ୍‌ ହାସିନାଙ୍କ ପ୍ରଥମ ଭାରତ ଗସ୍ତ। ଯଦିଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବିତୀୟ ପାଳିର ଶପଥ ଗ୍ରହଣ ଉତ୍ସବକୁ ଶେଖ୍‌ ହାସିନାକୁ ନିମନ୍ତ୍ରଣ କରାଯାଇଥିଲା, ମାତ୍ର ସେ ଏହି କାର୍ଯ୍ୟକ୍ରମକୁ ଆସି ପାରି ନଥିଲେ। ଆସନ୍ତା ୪ ତାରିଖ ଦିନ ଭାରତର ପ୍ରମୁଖ ସିଇଓଙ୍କୁ ନେଇ ହେବାକୁ ଥିବା ଏକ ଭାବବିନିମୟ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗଦେବେ। ସେହିଭଳି ୪ ତାରିଖ ଦିନ ସିଙ୍ଗାପୁର ଉପ ପ୍ରଧାନମନ୍ତ୍ରୀ ହେଙ୍ଗ୍‌ ସୁଇ କିଟ୍‌ ଏବଂ ହାସିନାଙ୍କ ମଧ୍ୟରେ ଆଲୋଚନା ହେବ। ୫ ତାରିଖ ଦିନ ସାଢେ ୧୧ଟା ସମୟରେ ହାଇଦ୍ରାବାଦ୍‌ ହାଉସ୍‌ରେ ଶେଖ୍‌ ହାସିନା ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏଥିରେ ତିସ୍ତା ଜଳ ଆବଣ୍ଟନ ନେଇ ଆଲୋଚନା ହେବ। ଏହାପରେ ମୋଦୀ ଏବଂ ହାସିନାଙ୍କ ମଧ୍ୟରେ ଏକ କେତେକ ଚୁକ୍ତିନାମା ସ୍ବାକ୍ଷରିତ ହେବ। ସେହିଦିନ ସନ୍ଧ୍ୟା ୪ଟା ୩୦ରେ ହାସିନା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିବେ। ୬ ତାରିଖ ଦିନ ହାସିନା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ବଙ୍ଗବନ୍ଧୁ ଶେଖ୍‌ ମୁଜିବୁର୍‌ ରହମନ୍‌ଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ଦ୍ଦେଶକ ଶ୍ୟାମ୍‌ ବେନଗାଲ୍‌ଙ୍କୁ ମଧ୍ୟ ଶେଖ୍‌ ହାସିନା ଭେଟିବେ।

ସମ୍ବନ୍ଧିତ ଖବର