ଢାକା : ବ୍ୟାପକ ହିଂସାକାଣ୍ଡ, ପୋଡ଼ାଜଳା ଓ ବିପକ୍ଷଙ୍କ ବୟକଟ୍ ମଧ୍ୟରେ ରବିବାର ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭାରତୀୟ ସମୟ ଅନୁଯାୟୀ ସକାଳ ସାଢ଼େ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ରେ ଶେଷ ହୋଇଥିଲା। ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁଯାୟୀ, ପାଖାପାଖି ୪୦ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ  ବାଂଲାଦେଶ ନାସନାଲିଷ୍ଟ ପାର୍ଟି (ବିଏନପି) ବହିଷ୍କାର ଯୋଗୁଁ ଶାସକ ଆୱାମୀ ଲିଗ୍ ର ବିଜୟ ନିଶ୍ଚିତ ବୋଲି ବିବେଚନା କରାଯାଉଛି। ନିର୍ବାଚନ ପୂର୍ବରୁ ସରକାରଙ୍କ ପକ୍ଷରୁ ବିରୋଧୀ ଦଳଗୁଡ଼ିର ପ୍ରମୁଖ ନେତାମାନଙ୍କୁ ଗିରଫ କରି ଜେଲରେ ରଖିଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ ଶେଖ ହସିନା ଗୋପାଳଗଞ୍ଜ-୩ ଆସନରୁ ନିର୍ବିରୋଧ ନିର୍ବାଚିତ ହୋଇଥିବା ସୂଚନା ମିଳିଛି ।କାରଣ ତାଙ୍କ ବିରୋଧରେ କୌଣସି ବିପକ୍ଷ ନେତା ଲଢିନଥିଲେ ।

ହସିନାଙ୍କ ନେତୃତ୍ୱରେ ନିରପେକ୍ଷ ନିର୍ବାଚନ ହୋଇପାରିବ ନାହିଁ ବୋଲି ବାଂଲାଦେଶର ସର୍ବବୃହତ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଅଭିଯୋଗ କରିଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇ କାର୍ଯ୍ୟନିର୍ବାହୀ ସରକାରଙ୍କ ତତ୍ତ୍ୱାବଧାନରେ ନିର୍ବାଚନ କରାଇବାକୁ ବିରୋଧୀ ଦାବି କରିଛନ୍ତି। ସେପଟେ ହସିନା ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରି କହିଥିଲେ ଯେ ବିଏନପି ଏକ ଆତଙ୍କବାଦୀ ସଂଗଠନ । ଭୋଟ୍ ଦେଇ ଗଣତନ୍ତ୍ର ପ୍ରତି ଆସ୍ଥା ପ୍ରକଟ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ ।