ଢାକା: ବାଂଲାଦେଶ ରବିବାର ଏକ ନୂଆ ନୋଟ୍ ଉନ୍ମୋଚନ କରିଛି। ଏଥିରେ ବାଂଲାଦେଶର ଜନକ ଶେଖ୍ ମୁଜିବୁର୍ ରେହମାନଙ୍କ ଫଟୋ ବଦଳରେ ପ୍ରସିଦ୍ଧ କଳାକୃତି ଓ ମନ୍ଦିରର ଚିତ୍ର ରହିଛି। ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ୧୯୭୧ରେ ଦେଶ ଗଠନ ହେବା ପରଠାରୁ ସମସ୍ତ ନୋଟ୍ରେ ସ୍ଥାନ ପାଇ ଆସୁଥିଲେ। ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଗତବର୍ଷ ‘ବାଂଲାଦେଶର ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ସ୍ଥାପତ୍ୟ’କୁ ଅନ୍ତର୍ଭୁକ୍ତ କରି ବାଂଲାଦେଶୀ ମୁଦ୍ରାକୁ ପର୍ଯ୍ୟାୟକ୍ରମେ ସଂଶୋଧନ କରିବାକୁ ଯୋଜନା ଘୋଷଣା କରିଥିଲେ।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହିନ୍ଦୁ ଓ ବୌଦ୍ଧ ମନ୍ଦିର ଏବଂ ପ୍ରସିଦ୍ଧ କଳାକୃତି ସହିତ ରବିବାର ନୂଆ ୧୦୦୦, ୫୦ ଓ ୨୦ ଟଙ୍କିଆ ନୋଟ୍ ବଜାରକୁ ଆସିଛି। ସମସ୍ତ ମୂଲ୍ୟର ନୋଟ୍ ପାଇଁ ନୂଆ ଡିଜାଇନ୍ ପ୍ରଚଳନ କରାଯିବ ବୋଲି ଅଧିକାରୀମାନେ ଚଳିତ ସପ୍ତାହ ପ୍ରାରମ୍ଭରେ ସଙ୍କେତ ଦେଇଥିଲେ। ତେବେ ଇଦ୍ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ କେବଳ ଏହି ମୂଲ୍ୟର ନୋଟ୍କୁ ସାମିଲ କରାଯିବ। ନୂତନ ଭାବେ ସଂଶୋଧିତ ନୋଟ୍ଗୁଡ଼ିକ ପ୍ରଥମେ ଢାକାସ୍ଥିତ ବାଂଲାଦେଶ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରୁ ଛଡ଼ାଯିବ। ବାଂଲାଦେଶର ପ୍ରତିଷ୍ଠାତାଙ୍କୁ ନେଇ ପ୍ରଚଳିତ ନୋଟ୍ ଓ ମୁଦ୍ରା ନୂଆ ନୋଟ୍ ସହିତ ପ୍ରଚଳନରେ ରହିବ। ନୂଆ ନୋଟ୍ରେ କୌଣସି ମାନବ ଚିତ୍ର ରହିବ ନାହିଁ, ବରଂ ପ୍ରାକୃତିକ ଦୃଶ୍ୟ ଓ ପାରମ୍ପରିକ ଐତିହ୍ୟକୁ ପ୍ରଦର୍ଶିତ କରାଯିବ। ବାଂଲାଦେଶ ବ୍ୟାଙ୍କର ମୁଖପାତ୍ର ଆରିଫ ହୁସେନ୍ ଖାନ୍ କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟାଳୟ ଓ ପରେ ଦେଶର ଅନ୍ୟାନ୍ୟ କାର୍ଯ୍ୟାଳୟରୁ ଏହି ନୂଆ ନୋଟ୍ ଜାରି କରାଯିବ। ଏହି ନୂଆ ନୋଟ୍ରେ ହିନ୍ଦୁ ଓ ବୌଦ୍ଧ ମନ୍ଦିରର ଚିତ୍ର, ସ୍ୱର୍ଗତ ଜୈନୁଲ ଆବେଦିନଙ୍କ କଳାକୃତି ଏବଂ ୧୯୭୧ ମୁକ୍ତି ସଂଗ୍ରାମ ସମୟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରୁଥିବା ଜାତୀୟ ସହିଦ ସ୍ମାରକୀକୁ ଦର୍ଶାଯିବ ବୋଲି ପ୍ରକାଶିତ ରିପୋର୍ଟରେ କୁହାଯାଇଛି।