ଢାକା: ବାଂଲାଦେଶକୁ ଆଉ ଏକ ଝଟକା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)। ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଂଲାଦେଶ ଦଳକୁ ବାହାର କରିବା ପରେ ଏବେ ବାଂଲାଦେଶୀ କ୍ରୀଡ଼ା ସାମ୍ବାଦିକମାନଙ୍କୁ ଅନୁମତି ଦେବାକୁ ମନାକରିଦେଇଛି।

Advertisment

ସୂଚନା ଅନୁସାରେ ବାଂଲାଦେଶର ବିଭିନ୍ନ ଗଣମାଧ୍ୟମ ପାଇଁ କାମ କରୁଥିବା ପ୍ରାୟ ୧୫୦ ଜଣ କ୍ରୀଡ଼ା ସାମ୍ବାଦିକ ବିଶ୍ବକପ୍ ରିପୋର୍ଟ ନିମନ୍ତେ ଅଧିସ୍ବୀକୃତି ପାଇଁ ଆଇସିସି ନିକଟରେ ଆବେଦନ କରିଥିଲେ। କିନ୍ତୁ ଆଇସିସି ସେମାନଙ୍କ ଆବେଦନଗୁଡ଼ିକୁ ଖାରଜ କରିଦେଇଛି। ଇ-ମେଲ୍ ମାଧ୍ୟମରେ ଏହି ନିଷ୍ପତ୍ତି ସମ୍ପର୍କରେ ସାମ୍ବାଦିକମାନଙ୍କୁ ଜଣାଇଦିଆଯାଇଛି। ଏପରିକି କେତେକ ସାମ୍ବାଦିକଙ୍କୁ ପୂର୍ବରୁ ଆଇସିସି ପକ୍ଷରୁ ଅନୁମତି ଦିଆଯାଇଥିଲା। କିନ୍ତୁ ବାଂଲାଦେଶ କ୍ରିକେଟ୍ ଦଳକୁ ବିଶ୍ବକପରୁ ବାହାର କରାଯିବା ପରେ ସେମାନଙ୍କୁ ଆବେନନଗୁଡ଼ିକୁ ରଦ୍ଦ କରିଦିଆଯାଇଥିଲା। ଏହାକୁ ନେଇ ବାଂଲାଦେଶ ଗଣମାଧ୍ୟମ ଜଗତରେ ଅସନ୍ତୋଷ ସୃଷ୍ଟି ହୋଇଛି। ସେଠାକାର ଗଣମାଧ୍ୟମ ଜଗତରେ ଆଇସିସିର ଏହି ନିଷ୍ପତ୍ତିକୁ ପକ୍ଷପାତପୂର୍ଣ୍ଣ କୁହାଯିବା ସହ ଏହା ସାମ୍ବାଦିକତାର ବିରୋଧୀ ବୋଲି କୁହାଯାଉଛି।

ଆଇସିସିର ଏହି ନିଷ୍ପତ୍ତି ପରେ ବାଂଲାଦେଶୀ ସାମ୍ବାଦିକମାନେ ଏଥର ବିଶ୍ବକପ୍ ରିପୋର୍ଟିଂ କରିପାରିବେ ନାହିଁ। ୧୯୯୯ ପରଠାରୁ କୌଣସି ଆଇସିସି ପ୍ରତିଯୋଗିତାରେ ବାଂଲାଦେଶର କ୍ରୀଡ଼ା ସାମ୍ବାଦିକମାନେ ଅନୁପସ୍ଥିତ ରହିବେ।