ବାଂଲାଦେଶ ଦୁର୍ଗାପୂଜା ହିଂସା :  ସ୍ଥିତି ଚିନ୍ତାଜନକ କହିଲା ଭାରତ

ନୂଆଦିଲ୍ଲୀ : ଦୁର୍ଗାପୂଜା ବେଳେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତ ସରକାର ଚିନ୍ତା ପ୍ରକଟ କରିଛନ୍ତି । ଏହା ସହିତ ବାଂଲାଦେଶରେ ଥିବା ଭାରତୀୟ ଦୂତାବାସ ଓ କନସୁଲେଟ୍ ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ଭାରତ ସରକାର କହିଛନ୍ତି ।

ସାପ୍ତାହିକ ସାମ୍ବାଦିକ ସମ୍ମିଳନୀ ଅବସରରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ ବାଂଲାଦେଶର ଚାଲିଥିବା ହିଂସା ବେଶ ଚିନ୍ତାଜନକ । କିନ୍ତୁ ସ୍ଥିତି ଉପରେ ନିୟନ୍ତ୍ରଣ କରିବାକୁ ବାଂଲାଦେଶ ସରକାର ତୁରନ୍ତ ଦୃଢ ପଦକ୍ଷେପ ନେଇଛନ୍ତି । ଚଳିତ ଦୁର୍ଗାପୂଜାରେ ବି ବାଂଲାଦେଶ ସରକାରଙ୍କ ସହଯୋଗରେ ବିଭିନ୍ନ ପୂଜାମଣ୍ଡପରେ ସୁରୁଖୁରୁରେ ପୂଜା ଚାଲିଛି ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ଏହି ହିଂସା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବାଂଲାଦେଶରେ ଫେସବୁକ ପୋଷ୍ଟକୁ ନେଇ କିଛି ଲୋକ ଦୂର୍ଗାପୂଜା ମଣ୍ଡପ ଓ କେତେକ ମନ୍ଦିର ଭଙ୍ଗାରୁଜ୍ଜା କରିଛନ୍ତି ଓ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିଛନ୍ତି । ଏପରିକି କେତେକ ସ୍ଥାନରେ ମୂର୍ତ୍ତି ଭଙ୍ଗାରୁଜ୍ଜା କରାଯାଇଛି । ଏହି ଘଟଣାରେ ୩ ଜଣ ଲୋକ ମୃତ୍ୟୁବରଣ କରିବା ସହ ଅନେକ ଲୋକ ଆହତ ହୋଇଛନ୍ତି । ଏହି ହିଂସା ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୪୩ ପିଲାଙ୍କୁ ଗିରଫ କରିଛି ।

ସମ୍ବନ୍ଧିତ ଖବର