ନୂଆଦିଲ୍ଲୀ: ବାଂଲାଦେଶ ବର୍ତ୍ତମାନ ଏକ ହିଂସା ଏବଂ ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡି ନିଜ ଜୀବନ ରକ୍ଷା କରିବାକୁ ଭାରତ ଆସିଛନ୍ତି। ଦୁଇମାସ ପୂର୍ବେ ଶେଖ ହସିନା ଏପରି କିଛି କହିଥିଲେ ଯାହା ଅନ୍ତର୍ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏବେ ତାଙ୍କର ଭୟ ସତ ବୋଲି ପ୍ରମାଣିତ ହେଉଛି।

Advertisment

ହସିନାଙ୍କ ସରକାର ବର୍ତ୍ତମାନ ଶେଷ ହୋଇଛି ତାହା ସମସ୍ୟା ନୁହେଁ ବୋଲି ଅନ୍ତର୍ଜାତୀୟସ୍ତରରେ କୁହାଯାଉଥିବାବେଳେ ଯଦି ହସିନାଙ୍କର ଭୟ ସଂପୂର୍ଣ୍ଣ ସଠିକ୍ ବୋଲି ପ୍ରମାଣିତ ହୁଏ ତେବେ ଦକ୍ଷିଣ ଏସିଆରେ ଏକ ନୂଆ ଖ୍ରୀଷ୍ଟିଆନ ଦେଶ ଜନ୍ମ ହେବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି। ବାଂଲାଦେଶ ଏବଂ ମିଆଁମାରକୁ ମିଶାଇ ଏହି ଦେଶ ଗଠନ ହେବ। ଏହା ଏକ ଖ୍ରୀଷ୍ଟିଆନ ଦେଶ ହେବ।

ବାସ୍ତବରେ, ବାଂଲାଦେଶରେ ସଂରକ୍ଷଣ ସମ୍ପର୍କିତ ଆନ୍ଦୋଳନର ଦୁଇ ମାସ ପୂର୍ବରୁ ଶେଖ ହସିନାଙ୍କ ଏହି ମନ୍ତବ୍ୟ ମେ’ ୨୯ ରେ ପ୍ରକାଶ ପାଇଥିଲା। ଏହି ମନ୍ତବ୍ୟରେ ହସିନା ଆମେରିକା ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ।

ଆମେରିକାର ନାମ ନ ନେଇ ଆୱାମୀ ଲିଗ୍ ସଭାପତି ଶେଖ ହସିନା ଏକ ବୈଠକରେ କହିଥିଲେ ଯେ ପୂର୍ବ ଷ୍ଟିମୋର ପରି ସେମାନେ ବାଂଲାଦେଶର ଚିତ୍ରକୋଣ୍ଡା ଏବଂ ମିଆଁମାରର କିଛି ଅଂଶ ନେଇ ଏକ ଖ୍ରୀଷ୍ଟିଆନ ଦେଶ ସୃଷ୍ଟି କରିବେ, ଯାହାର ଆଧାର ବଙ୍ଗୋପସାଗର ଉପକୂଳରେ ରହିବ।

ଆଞ୍ଚଳିକ ସ୍ଥିରତାକୁ ଭଣ୍ଡୁର କରିବାକୁ କୌଣସି ବାହ୍ୟ ପ୍ରୟାସକୁ ବିରୋଧ କରିବାକୁ ଶେଖ ହସିନା ଏହି ବୈଠକରେ ଶପଥ ଗ୍ରହଣ କରିଥିଲେ। ସେ କହିଥିଲେ ମୁଁ ଏହି ଷଡଯନ୍ତ୍ରର ମୁକାବିଲା କରିବାକୁ ସଂକଳ୍ପବଦ୍ଧ।

ଏ ବାବଦରେ କୌଣସି ସୂଚନା ନ ଦେଇ ସେ କେବଳ କହିଥିଲେ ଏହି ପ୍ରସ୍ତାବ ଜଣେ ଶ୍ୱେତାଙ୍କଠାରୁ ଆସିଛି। ଏହା ପରେ ହସିନା କହିଥିଲେ ଯଦି ମୁଁ ବାଂଲାଦେଶରେ ଏୟାରବେସ ନିର୍ମାଣ ପାଇଁ କୌଣସି ଦେଶ (ଆମେରିକା) କୁ ଅନୁମତି ଦେଇଥା’ନ୍ତି, ତେବେ ମୋର କୌଣସି ଅସୁବିଧା ହୋଇ ନ ଥାନ୍ତା।

ସୂଚନାଯୋଗ୍ୟ, ବର୍ତ୍ତମାନ ମିଆଁମାର ସାମରିକ ଶାସନ ଅଧୀନରେ ଅଛି। ସେଠାରେ ଗୃହଯୁଦ୍ଧର ପରିସ୍ଥିତି ଦେଖାଦେଇଛି। ଦେଶରେ କ୍ଷମତା ଦଖଲ କରିଥିବା ସେନା ବିରୋଧରେ ଲୋକମାନେ ବିରୋଧ କରୁଛନ୍ତି। ବିଦ୍ରୋହୀମାନେ ସେନା ଅପେକ୍ଷା ଅଧିକ ଶକ୍ତିଶାଳୀ।

ଏପରି ପରିସ୍ଥିତିରେ ଯଦି ଭବିଷ୍ୟତରେ ଦକ୍ଷିଣ-ପୂର୍ବ ବାଂଲାଦେଶ ଏବଂ ମିଆଁମାରର କିଛି ଅଂଶ ମିଶାଇ ଏକ ନୂଆ ଖ୍ରୀଷ୍ଟିଆନ ଦେଶ ଗଠନ ହେବ ତେବେ ତାହା ଅଧିକ ଆଶ୍ଚର୍ଯ୍ୟଜନକ ହେବ ନାହିଁ ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଜାରି ରହିଛି। ହସିନା ଏନେଇ ଭୟ ପ୍ରକାଶ କରିଥିଲେ।