ନୂଆଦିଲ୍ଲୀ: ସଲ୍ମାନ ଖାନ୍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଜରଙ୍ଗୀ ଭାଇଜାନ୍’ ଦେଖିଛନ୍ତି? ଯଦି ଦେଖିଥିବେ ଆଣଙ୍କର ନିଶ୍ଚୟ ମନେ ଥିବ ଯେ ସାରା ଚଳଚ୍ଚିତ୍ର ପାକିସ୍ତାନର କୁନି ଝିଅ ମୁନ୍ନିକୁ ନିଜ ଦେଶକୁ ଫେରାଇବା ପାଇଁ ବଜରଙ୍ଗୀ ଭାଇଜାନ୍ ନିଜର ଲୁହଲହୁ ଏକାଠି କରି ପକାଉଛନ୍ତି। ଏବେ ରିଲ୍(ଅଭିନୟ) ନୁହେଁ, ଜଣେ ରିୟଲ୍(ବାସ୍ତବ) ବଜରଙ୍ଗୀ ଭାଇଜାନ୍ଙ୍କ ବିଷୟରେ ଜାଣିବାକୁ ମିଳିଛି। ବ୍ୟକ୍ତି ଜଣଙ୍କର ଉଦାରତା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମହାନ ବ୍ୟକ୍ତିଙ୍କ ନାମ ମହମ୍ମଦ ଅରିଫୁଲ୍ ଇସ୍ଲାମ। ତାଙ୍କ ଘର ବାଂଲାଦେଶର ଚୁଆଡ଼ଙ୍ଗା ଜିଲ୍ଲାର ଛାଇଗରିଆ ଗ୍ରାମରେ।
ଅରିଫୁଲ୍ ୧୪ ବର୍ଷ ତଳେ ଉଦ୍ଧାର କରିଥିବା ଜଣେ ମୁକ ଭାରତୀୟ ଶିଶୁକୁ ( ଯିଏକି ଏବେ ୨୮ ବର୍ଷର ଯୁବକ) ନିଜ ବାପାମାଆଙ୍କ ପାଖକୁ ଫେରାଇବାକୁ ଦୁଇ ଦିନିଆ ଭାରତୀୟ ଭିସା ନେଇ ପଶ୍ଚିମବଙ୍ଗ ଆସିବା କଥା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଗତ ସପ୍ତାହରେ ଭାରତ ଆସି ପଶ୍ଚିମବଙ୍ଗର ନଦିଆ ଜିଲ୍ଳାରେ ପହଞ୍ଚି ଦୀର୍ଘ ବର୍ଷ ତଳୁ ହଜି ଯାଇଥିବା ୨୮ ବର୍ଷୀୟ ସେହି ଯୁବକର ଫଟୋ ଖଣ୍ଡେ ଧରି ରାସ୍ତା, ଦୋକାନ ଓ ଚା ଦୋକାନରେ ଦେଖାଇଥିଲେ। ଯୁବକଙ୍କ ଫଟୋ ଦେଖି ଯଦିଓ କେହି ସ୍ପଷ୍ଟ ଭାବେ ଚିହ୍ନି ପାରିନଥିଲେ ମାତ୍ର ୧୪ ବର୍ଷ ତଳେ ଯେଉଁ ପରିବାରର ପୁଅ ନିଖୋଜ ହୋଇଥିଲା ଅରିଫୁଲ୍ଙ୍କୁ କିଛି ଲୋକ ସେହି ପରିବାରର ଠିକଣା ଦେଇଥିଲେ। ଅରିଫୁଲ୍ ସେଠାରେ ପହଞ୍ଚି ଯୁବକଙ୍କ ଫଟୋ ଦେଖାଇଲେ। ମାତ୍ର ପରିବାର ଲୋକେ ଯୁବକଙ୍କୁ ନିଜ ପୁଅ ବୋଲି ସ୍ବୀକାର ନ କରିବାରୁ ଅରିଫୁଲ୍ ସ୍ଥାନୀୟ କିଛି ଲୋକଙ୍କୁ ନିଜ ଠିକଣା ଓ ଫୋନ୍ ନମ୍ବର ଦେଇ ଫେରି ଯାଇଛନ୍ତି।
/sambad/media/post_attachments/wp-content/uploads/2020/01/a65b4c7f15b153c6657ff4fe5c1df256-300x171.jpg)
ତାଙ୍କ କହିବା କଥା ହେଲା, ଯଦି ତାଙ୍କ ପାଖରେ ଟଙ୍କା ଯୋଗାଡ଼ ହୋଇପାରିଥାନ୍ତା ତେବେ ସେ ଆହୁରି ଜଲ୍ଦି ଭାରତ ଆସିଥାନ୍ତେ। ଯୁବକଙ୍କୁ ସେ ନିଜ ପୁଅ ପରି ରଖିଛନ୍ତି। ଯେହେତୁ ସେ ଏବେ ବଡ଼ ହୋଇ ଗଲେଣି ଓ ନିଜ ପରିବାର ଲୋକଙ୍କୁ ମନେ ପକାଉଛନ୍ତି, ତେଣୁ ତାଙ୍କୁ ସେ ଘର ଲୋକଙ୍କ ସହ ମିଶାଇବାକୁ ଚାହାନ୍ତି। ୧୪ ବର୍ଷ ତଳର ସେ କଥା ମନେ ପକାଇ ଅରିଫୁଲ୍ କହନ୍ତି କି ‘ଅନ୍ତର୍ଜାତୀୟ ସୀମାରେ ଛିଡ଼ା ହୋଇ କାନ୍ଦୁଥିବା ଅବସ୍ଥାରେ ମୁଁ ପିଲାଟିକୁ ଉଦ୍ଧାର କରିଥିଲି। ଘରକୁ ନେବା ପରେ ସେ ଜଣେ ହିନ୍ଦୁ ବୋଲି ଜାଣିବାକୁ ପାଇଲି। ମାତ୍ର କେବେ ବି ମୋ ପିଲାମାନଙ୍କଠାରୁ ମୁଁ ତାଙ୍କୁ ଭିନ୍ନ ଭାବିନାହିଁ। ସେ ଆମ ଘରେ ମୋ ପୁଅ ପରି ରୁହେ।’