ବାଂଲାଦେଶୀ ଆତଙ୍କବାଦୀ ସଂଗଠନ ଟାର୍ଗେଟରେ ଭାରତୀୟ ସହର

ନୂଆଦିଲ୍ଲୀ: ବାଂଲାଦେଶର ଏକ ଇସ୍‌ଲାମିକ୍‌ ଆତଙ୍କବାଦୀ ସଂଗଠନ ଟାର୍ଗେଟରେ ଭାରତର ବିଭିନ୍ନ ବଡ଼ ବଡ଼ ସହର ରହିଥିବା ଏବଂ ଏହି ସମସ୍ତ ସହରରେ ଆତଙ୍କବାଦୀ ହାମ୍‌ଲା କରିବା ପାଇଁ ସଂପୃକ୍ତ ଆତଙ୍କବାଦୀ ସଂଗଠନ ଯୋଜନା ପ୍ରସ୍ତୁତ କରଥିବା, ଭାରତୀୟ ଗୁଇନ୍ଦା ସଂସ୍ଥା ନିର୍ଦ୍ଧିଷ୍ଟ ତଥ୍ୟ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଜଣାଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି, ବାଂଲାଦେଶର ଏକ ଇସ୍‌ଲାମିକ୍‌ ଆତଙ୍କବାଦୀ ସଂଗଠନ ଆନ୍‌ସାରୁଲ୍ଲା ବାଂଲା ଟିମ୍‌ (ଏବିଟି) ପକ୍ଷରୁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ମହାରାଷ୍ଟ୍ରର ଆଣ୍ଟି ଟେରୋରିଷ୍ଟ ସ୍ୱାର୍ଡ (ଏଟିଏସ୍‌) ହାତରେ ଏବିଟିର ୫ ଜଣ ଆତଙ୍କବାଦୀ ଧରାପଡ଼ିବା ପରେ ଏମାନଙ୍କ ନିକଟରୁ ଏବିଟି ଆତଙ୍କବାଦୀମାନଙ୍କର ଏହି ଯୋଜନା ସଂପର୍କରେ ଜଣାପଡ଼ିଛି। ଏହା ପୂର୍ବରୁ ମଧ୍ୟ ବୋଧଗୟା ଅଞ୍ଚଳରୁ ଏବିଟିର ୭ ଜଣ ଆତଙ୍କବାଦୀ ଗିରଫ ହୋଇଥିଲେ। ଏହି ସମସ୍ତ ଆତଙ୍କବାଦୀଙ୍କୁ ଅଲଗା ଅଲଗା ଜେରା କାଳରେ ସେମାନଙ୍କର ଯୋଜନା ସଂପର୍କରେ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି।

ମହାରାଷ୍ଟ୍ର ଏଟିଏସ୍‌ର ଜନୈକ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ମହାରାଷ୍ଟ୍ରର ପୁଣେ ଓ ଅମ୍ବରନାଥ ସହରରେ ବାଂଲାଦେଶୀ ଆତଙ୍କବାଦୀ ସଂଗଠନ ଏବିଟି ନିଜର ସ୍ଥିତିକୁ ଦୃଢ଼ କରିସାରିଲାଣି। କେବଳ ମହାରାଷ୍ଟ୍ର ନୁହେଁ ମହାରାଷ୍ଟ୍ର ବାହାରେ ମଧ୍ୟ ଦେଶର ଅନ୍ୟ କେତେକ ବଡ଼ ବଡ଼ ସହରରେ ଏହି ଆତଙ୍କବାଦୀ ସଂଗଠନ ତା’ର ସ୍ଥିତିକୁ ଦୃଢ଼ କରିବା ସହ ନିଜର କାୟା ବିସ୍ତାର କରି ସାରିଥିବା ଏଟିଏସ୍‌ ପକ୍ଷରୁ ସୂଚନା ମିଳିଛି।

ଗୁଇନ୍ଦା ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍‌- କାଏଦାର ଏକ ଶାଖା ସଂଗଠନ ହେଉଛି ବାଂଲାଦେଶର ଏବିଟି। ବାଂଲାଦେଶ ସରକାରଙ୍କ ପକ୍ଷରୁ ଗତ ୨୦୧୬ରୁ ଏବିଟି ଉପରେ ନିଷେଧାଦେଶ ଜାରି କରାଯାଇଛି। ୨୦୦୭ରୁ ଏକ ଆତଙ୍କବାଦୀ ସଂଗଠନ ରୂପେ ମୁଣ୍ଡ ଟେକିଥିବା ଏବିଟି ସଂପୂର୍ଣ୍ଣ କର୍ପୋରେଟ୍‌ ଶୈଳୀରେ ନିଜକୁ ପରିଚାଳିତ କରିଥାଏ। ଆତଙ୍କବାଦୀ ସଂଗଠନ ଏବିଟିରେ କର୍ପୋରେଟ୍‌ ଢ଼ାଞ୍ଚାରେ ଫାଇନାନ୍ସ, ଅପରେସନ୍‌ସ, ଆଇଟି, ଟ୍ରାନ୍ସପୋର୍ଟ ପରି ବିଭିନ୍ନ ବିଭାଗ ରହିଥିବା ସୂଚନା ଦେଇଛି ଭାରତୀୟ ଗୁଇନ୍ଦା ବିଭାଗ।

ସମ୍ବନ୍ଧିତ ଖବର