ନୂଆଦିଲ୍ଲୀ: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଏବଂ ସଚିନଙ୍କ ପ୍ରେମ କାହାଣୀ ପରି ୟୁପିର ଅଜୟ ସଇନି ଏବଂ ତାଙ୍କ ବାଂଲାଦେଶୀ ପ୍ରେମିକା ଜୁଲିଆ ଅଖତରଙ୍କ କାହାଣୀ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ଜୁଲିଆ ମୁରାଦାବାଦରେ ପହଞ୍ଚି ହିନ୍ଦୁ ରୀତିନୀତି ସହ ଅଜୟଙ୍କୁ ବିବାହ କରିଥିଲେ। ଏହା ପରେ ଅଜୟ ତାଙ୍କ ପତ୍ନୀ ଜୁଲିଆଙ୍କ ସହ ବାଂଲାଦେଶ ଚାଲି ଯାଇଥିଲେ। କିଛି ଦିନ ତଳେ ଅଜୟଙ୍କ ଏକ ଫଟୋ ସାମ୍ନାକୁ ଆସିଥିଲା, ଯେଉଁଥିରେ ତାଙ୍କ ମୁଣ୍ଡରୁ ରକ୍ତ ବାହାରୁଥିବା ଦେଖାଯାଇଥିଲା। ଏହି ଫଟୋ ପାଇ ଅଜୟଙ୍କ ମା’ ପୁଲିସର ସହାୟତା ଲୋଡ଼ିଥିଲେ ଏବଂ ପୁଅ ବିପଦରେ ଅଛି ବୋଲି କହିଥିଲେ।

Advertisment

ଏବେ ଅଜୟ ସୁରକ୍ଷିତ ଭାରତ ଫେରି ଆସିବା ସହ ପୂରା ଘଟଣା ଉପରୁ ପରଦା ଉଠାଇଛନ୍ତି। ମୁରାଦାବାଦରେ ପହଞ୍ଚିବା ପରେ ପୁଲିସ ଅଜୟଙ୍କୁ ପଚରାଉଚରା କରିଥିଲା। ଏହି ସମୟରେ ସେ ଜୁଲିଆଙ୍କ ସହ ତାଙ୍କ ସମ୍ପର୍କ କେମିତି ସେ ବିଷୟରେ ଜଣାଇଥିଲେ। ପୁଲିସ ଦେଇଥିବା ସୂଚନା ମୁତାବକ, ଅଜୟ ୨୦୧୭ରେ ଜୁଲିଆଙ୍କ ସହ ଫେସବୁକରେ ଯୋଡି ହୋଇଥିଲେ। ଏହା ପରେ ଦୁହେଁ ମେସେଜରେ କଥା ହେବା ଆରମ୍ଭ କରିବା ସହ ପରେ ଫୋନରେ କଥା ହୋଇଥିଲେ। ଦିନ ବିତିବା ସହ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଥିଲେ। ୨୦୨୦‌ରେ ଜୁଲିଆ ଭାରତ ଆସିବାକୁ ଚାହୁଥିଲେ ବି କରୋନା ପାଇଁ ସେ ଆସିପାରିନଥିଲେ। ଏହା ପରେ ୨୦୨୨ରେ ସେ ମୁରାଦାବାଦ ଆସି ଅଜୟଙ୍କୁ ବିବାହ କରିଥିଲେ। ବିବାହ ପାଇଁ ଜୁଲିଆ ନିଜର ଧର୍ମ ମଧ୍ୟ ବଦଳାଇଥିଲେ। ତେବେ ବିବାହ କରିବା ପରେ ପରିବାର ସହ ଝଗଡ଼ା ହେବାରୁ ଅଜୟ ଜୁଲାଇଆଙ୍କ ସହ ବାଂଲାଦେଶ ଚାଲି ଯାଇଥିଲେ। ଏବେ ସେ ତାଙ୍କ ସହ ଖୁସି ଥିବା କହିଛନ୍ତି।

ମୁଣ୍ଡରୁ ରକ୍ତ ବାହାରୁଥିବାର ଫଟୋ ଉପରେ ପ୍ରଶ୍ନ କରାଯିବାରୁ ଅଜୟ ପୁଲିସକୁ କହିଛନ୍ତି ଯେ, ମୋର ଗୋଡ ଖସିଯିବାରୁ ମୁଣ୍ଡରେ ଆଘାତ ଲାଗିଥିଲା। ଜୁଲିଆଙ୍କ ସହ ମୋର କୌଣସି ସମସ୍ୟା ନାହିଁ। ସେ ମୋତେ ସୀମା ପାର୍ କରାଇ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଛାଡ଼ିବାକୁ ଆସିଥିଲେ। ମୁଁ ତାଙ୍କ ସହ ଖୁସି‌ରେ ଅଛି।