ନୂଆଦିଲ୍ଲୀ: ଦୁସ୍ଥ କୁଷ୍ଠରୋଗୀମାନଙ୍କର ସେବା କରି ଭାରତ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ ମଦର ଟେରେସା। ଏପରିକି ତାଙ୍କ ମୃତ୍ୟୁର ୧୯ ବର୍ଷ ପରେ ପୋପ୍ ତାଙ୍କୁ ସନ୍ଥତ୍ବ ଉପାଧି ପ୍ରଦାନ କରାଯାଇଥିଲା। କିନ୍ତୁ ଯେଉଁ ମିସନାରିଜ୍ ଅଫ୍ ଚାରିଟି ସଂସ୍ଥା ମାଧ୍ୟମରେ ସେ ରୋଗୀମାନଙ୍କ ସେବା କରୁଥିଲେ ସେହି ସଂସ୍ଥାକୁ ବଡ଼ଦିନ (ଡିସେମ୍ବର ୨୫)ରେ ଏକ ବଡ଼ ଧକ୍କା ଦେଇଛନ୍ତି। ବିଦେଶରୁ ପାଣ୍ଠି ପାଇବା ନେଇ ଏହି ସଂସ୍ଥା କରିଥିବା ଅନୁରୋଧକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପ୍ରତ୍ୟାଖ୍ୟାନ କରିଦେଇଛି। ଉକ୍ତ ପାଣ୍ଠି ପାଇବା ପାଇଁ ସ୍ବେଚ୍ଛାସେବୀ ସଂସ୍ଥାଗୁଡ଼ିକ ଏଫସିଆରଏ (ବିଦେଶୀ ପାଣ୍ଠି ନିୟମନ ଆଇନ)ର ସବୁଜ ସଂକେତ ହାସଲ କରିବା ଆବଶ୍ୟକ। କିନ୍ତୁ ମିସନାରିଜ୍ ଅଫ ଚାରିଟିର ଏ ସଂକ୍ରାନ୍ତ ଲାଇସେନ୍ସ ନବୀକରଣ ଆବଦେନକୁ ପ୍ରତ୍ୟାଖ୍ୟାନ କରି ଦିଆଯାଇଛି। ଉକ୍ତ ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ମିସନାରିଜ୍ ଅଫ୍ ଚାରିଟି ଏହାର ବିଭିନ୍ନ ଶାଖାକୁ ବିଦେଶୀ ପାଣ୍ଠି ଆସୁଥିବା ଏସବୁ ଆକାଉଣ୍ଟ ପରିଚାଳନା ନକରିବା ପାଇଁ କହିଛି।
ଅନ୍ୟପକ୍ଷରେ ଗୃହ ମନ୍ତ୍ରଳାୟ ଏ ନେଇ ଏକ ସ୍ପଷ୍ଟୀକରଣ ଦେଇଛି। ସେଥିରେ କୁହାଯାଇଛି ଯେ ମିସନାରିଜ୍ ଅଫ୍ ଚାରିଟିର ବ୍ୟାଙ୍କ ଆକାଉଣ୍ଟକୁ ମନ୍ତ୍ରାଳୟ ପକ୍ଷରୁ ଅଚଳ କରାଯାଇ ନାହିଁ। ବରଂ ସଂସ୍ଥା ପକ୍ଷରୁ ଆକାଉଣ୍ଟକୁ ଅଚଳ କରିବା ପାଇଁ ଅନୁରୋଧ କରାଯାଇଥିଲା ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ସୂଚନା ଦେଇଥିଲା। ତେବେ ସରକାର ଏହା ସ୍ବୀକାର କରିଛନ୍ତି ଯେ ମିସନାରିଜ୍ ଅଫ ଚାରିଟିରରର ଆବେଦନକୁ ବିଚାର କରିବା ସମୟରେ ପ୍ରତିକୂଳ ମନ୍ତବ୍ୟ ମିଳିଥିଲା। ତେଣୁ ଏହାର ଏଫସିଆରଏ ଯୋଗ୍ୟତାକୁ ନବୀକରଣ କରାଯାଇ ନଥିଲା। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ସଂପର୍କରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍ କରି ସମାଲୋଚନା କରିଛନ୍ତି। ଖ୍ରୀଷ୍ଟମାସ ଦିନ ମଦର ଟେରେସାଙ୍କ ସଂସ୍ଥା ବିରୋଧରେ ଏଭଳି କାର୍ଯାନୁଷ୍ଠାନ ନିଆଯିବାକୁ ସେ ନିନ୍ଦା କରିଛନ୍ତି। ଫଳରେ ଏହି ସଂସ୍ଥାରେ ୨୨ ହଜାର ରୋଗୀ ଏବଂ କର୍ମଚାରୀ ଖାଦ୍ୟ ଓ ଔଷଧ ବିନା ରହିବାକୁ ବାଧ୍ୟ ହୋଇଛନ୍ତି। ଆଇନ ସର୍ବାଗ୍ରେ ଥିଲେ ମଧ୍ୟ ମାନବିକତାକୁ ଦେଖିବାକୁ ହେବ ବୋଲି ମମତା କହିଛନ୍ତି। ସେହିଭଳି କୋଲକାତା ଆର୍କଡିଓସିସ୍ର ଫାଦର ଡୋମିନିକ୍ ଗୋମସ୍ ମଧ୍ୟ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ ଏହା ଏକ ଭୟଙ୍କର ଆକ୍ରମଣ ବୋଲି କହିଛନ୍ତି। ମିସନାରିଜ୍ ଅଫ୍ ଚ୍ୟାରିଟିର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରି ସରକାରୀ ଏଜେନ୍ସି ଗରିବଙ୍କ ଗରିବ ଲୋକଙ୍କୁ ଏକ ନିଷ୍ଠୁର ଖ୍ରୀଷ୍ଟମାସ ଉପହାର ଦେଇଛନ୍ତି। ଆମେ ସରକାରୀ କାର୍ଯ୍ୟକୁ ନିନ୍ଦା କରୁଛୁ ବୋଲି ଫାଦର କହିଛନ୍ତି।