ଦେଶ ଛାଡ଼ି ଚାଲି ଯିବାର ୪ ବର୍ଷ ପରେ ଋଣ ଖିଲାପକାରୀ କମ୍ପାନି ମାଲିକଙ୍କ ବିରୋଧରେ ଅଭିଯୋଗ ଦାଏର କଲା ଏସ୍‌ବିଆଇ

ନୂଆଦିଲ୍ଲୀ: ଦିଲ୍ଲୀର ବାସୁମତୀ ଚାଉଳ ରପ୍ତାନିକାରୀ କମ୍ପାନି ରାମଦେବ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଲିମିଟେଡ୍‌ ବିରୋଧରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ସିବିଆଇରେ ଅଭିଯୋଗ ଦାଏର କରିଛି। ଅଭିଯୋଗରେ ବ୍ୟାଙ୍କ୍ ଦର୍ଶାଇଛି ଯେ ଏହି କମ୍ପାନିର ଅର୍ଥ ନିବେଶକମାନେ ଛଅଟି ବ୍ୟାଙ୍କ୍‌ରୁ ୪୧୪ କୋଟି ଟଙ୍କା ଠକି ଦେଶ ଛାଡ଼ି ପଳାଇଛନ୍ତି।

ରାମଦେବ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଲିମିଟେଡ୍‌ର ମାଲିକମାନେ ୨୦୧୬ରୁ ନିରୁଦ୍ଦିଷ୍ଟ ହୋଇଯାଇଥିବା କଥା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ୍ ଅନୁସନ୍ଧାନ କରିବା ପରେ ଜାଣି ପାରିଥିଲା। ସେମାନେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ରୁ ୧୭୩ କ‌ୋଟି ଟଙ୍କା, କାନାଡ଼ା ବ୍ୟାଙ୍କ୍‌ରୁ ୭୬ କ‌ୋଟି ଟଙ୍କା, ୟୁନିୟନ୍‌ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ୬୪ କୋଟି ଟଙ୍କା, ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ୫୧ କୋଟି ଟଙ୍କା, କର୍ପୋରେସନ୍ ବ୍ୟାଙ୍କ୍‌ରୁ ୩୬ କୋଟି ଟଙ୍କା ଏବଂ ଆଇଡିବିଆଇ ବ୍ୟାଙ୍କ୍‌ରୁ ୧୨ କୋଟି ଟଙ୍କା ଋଣ ନେଇଥିଲେ।

Image Source: Hindustan Times

ଅଭିଯୋଗ ଆଧାରରେ ସିବିଆଇ ଏପ୍ରିଲ ୨୮ ତାରିଖ ଦିନ କମ୍ପାନିର ମାଲିକ ସୁରେଶ କୁମାର, ନରେଶ କୁମାର ଏବଂ ସଙ୍ଗୀତାଙ୍କ ନାମରେ ମାମଲା ରୁଜୁ କରିଛି। ଏହାଛଡ଼ା ସେମାନଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କ୍ୟୁଲାର୍ ମଧ୍ୟ ଜାରି କରାଯାଇଛି।

ନ୍ୟାସ୍‌ନାଲ୍ କମ୍ପାନି ଲ’ ଟ୍ରାଇବୁନାଲ୍ ୨୦୧୮ରେ ଦେଇଥିବା ଆଦେଶରୁ ସୂଚନା ମିଳିଥିଲା ଯେ ଉକ୍ତ କମ୍ପାନିର ମାଲିକମାନେ ଦୁବାଇ ଚାଲିଯାଇଛନ୍ତି।

୨୦୧୬ରେ ଏହି କମ୍ପାନିର ଋଣକୁ ନନ୍‌-ପର୍ଫମିଙ୍ଗ୍ ଆସେଟ୍ ପର୍ଯ୍ୟାୟଭୁକ୍ତ କରାଯାଇଥିଲା। ଚାରି ବର୍ଷ ବିଳମ୍ବରେ, ଅର୍ଥାତ୍ ଏ ବର୍ଷ ଫେବ୍ରୁଆରି ମାସରେ ବ୍ୟାଙ୍କ୍ ସିବିଆଇରେ ଅଭିଯୋଗ କରିଥିଲା।

 

ସମ୍ବନ୍ଧିତ ଖବର