ଆକାଉଣ୍ଟ୍‌ଧାରୀଙ୍କ ପତ୍ନୀଙ୍କୁ ଆକାଉଣ୍ଟ୍‌ ଷ୍ଟେଟ୍‌ମେଣ୍ଟ୍‌ ଦେଇ ୧୦ ହଜାର ଟଙ୍କା ଜରିମାନା ଦେଲା ବ୍ୟାଙ୍କ୍‌

ଅହମଦାବାଦ: ବିନା ସମ୍ମତିରେ ଜଣେ ବ୍ୟକ୍ତିଙ୍କର ତିନି ବର୍ଷର ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଷ୍ଟେଟ୍‌ମେଣ୍ଟ୍‌ ତାଙ୍କ ପତ୍ନୀଙ୍କୁ ଦେଇଥିବା କାରଣରୁ ସମ୍ପୃକ୍ତ ବ୍ୟାଙ୍କ୍‌ ଉପରେ ୧୦ ହଜାର ଟଙ୍କା ଜରିମାନା କରାଯାଇଛି।

ସର୍ଦାରନଗର-ହଂସୋଲ୍‌ ଶାଖାର ଦିନେଶ ପମନାନି ନାମକ ଜଣେ ଆକାଉଣ୍ଟ୍‌ଧାରୀଙ୍କୁ ୧୦ ହଜାର ଟଙ୍କା ଦେବାକୁ ଅହମଦାବାଦର ‘ଡିଷ୍ଟ୍ରିକ୍ଟ୍‌ କଞ୍ଜୁମର୍‌ ଡିସ୍‌ପ୍ୟୁଟ୍‌ ରିଡ୍ରେସାଲ୍‌ ଫୋରମ୍‌’ ଗୁରୁବାର ଦିନ ଇଣ୍ଡିଆନ୍‌ ଓଭର୍‌ସିଜ୍‌ ବ୍ୟାଙ୍କ୍‌କୁ ଆଦେଶ ଦେଇଛନ୍ତି। ତାଙ୍କର ବିନା ପରାମର୍ଶରେ ବ୍ୟାଙ୍କ୍‌ ତାଙ୍କ ପତ୍ନୀଙ୍କୁ ତାଙ୍କର ବ୍ୟକ୍ତିଗତ ବିବରଣୀ ଦେଇଥିବାରୁ ସେ ଏକ ମାମଲା ଦାଏର କରିଥିଲେ।

ପମନନି ଅଦାଲତରେ ଯୁକ୍ତି ବାଢ଼ିଥିଲେ ଯେ ପରିବାର ଅଦାଲତରେ ତାଙ୍କର ଦାମ୍ପତ୍ୟ ବିବାଦ ମାମଲା ପଡ଼ିରହିଛି। ଏହି ଆକାଉଣ୍ଟ୍‌ ଷ୍ଟେଟ୍‌ମେଣ୍ଟ୍‌କୁ ତାଙ୍କ ପତ୍ନୀ ଅଦାଲତକୁ ଦେଇ ମାମଲା ତାଙ୍କ ସପକ୍ଷକୁ ନେବାର ସୁଯୋଗ ପାଇ ପାରନ୍ତି। ବ୍ୟାଙ୍କର ନିଷ୍ପତ୍ତି ଯୋଗୁଁ ସ୍ୱାମୀ ନିଜର ଆର୍ଥିକ ବିବରଣୀ ଲୁଚାଇ ରଖିବାକୁ କରିଥିବା ଉଦ୍ୟମ ପଣ୍ଡ ହୋଇ ଯାଇଥିଲା।

ଗତବର୍ଷ ମେ ୬ ତାରିଖ ଦିନ ପମନନି ତାଙ୍କ ଫୋନ୍‌ରେ ମେସେଜ୍‌ ପାଇଲେ କି, ତାଙ୍କ ଆକାଉଣ୍ଟ୍‌ରୁ ୧୦୩ ଟଙ୍କା କଟିଲା। ଦୁଇ ଦିନ ପରେ ସେ ବ୍ୟାଙ୍କ୍‌ ଯାଇ ଏ କଥା ବୁଝିଲା ବେଳକୁ ଜାଣିଲେ ତାଙ୍କ ପତ୍ନୀ ହର୍ଷିକା ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ୍‌ ନେଇଥିବାରୁ ଏହା କଟିଛି।

ପମନନି ଏ ମାମଲାରେ ଆପତ୍ତି କରି କହିଲେ, ସେ ପତ୍ନୀଙ୍କୁ କୌଣସି ବ୍ୟାଙ୍କ୍‌ କାରବାର କରିବାକୁ ଅଧିକାର ଦେଇ ନାହାନ୍ତି। ଏହା ବ୍ୟାଙ୍କ୍‌ କର୍ତ୍ତବ୍ୟରେ ହେଳା ବୋଲି ଦର୍ଶାଇ ସେ ଖାଉଟି ଅଦାଲତରେ ମାମଲା ରୁଜୁ କଲେ।

ବ୍ୟାଙ୍କ୍‌ ଦର୍ଶାଇଲା କି, ହର୍ଷିକା ଗ୍ରାହକଙ୍କ ଏଜେଣ୍ଟ୍‌ ଭାବେ ଆସିଥିଲେ। ଉତ୍ତମ ସେବା ଯୋଗାଣ ଦୃଷ୍ଟିରୁ ତାଙ୍କ ପତ୍ନୀଙ୍କୁ ବ୍ୟାଙ୍କ୍‌ ଷ୍ଟେଟ୍‌ମେଣ୍ଟ୍‌ ଯୋଗାଇ ଦିଆଯାଇଥିଲା।

ପମନନିଙ୍କ ଓକିଲ ସିଏ ମୋଦି ପ୍ରତିବାଦ କରି କହିଥିଲେ କି, ଅକାଉଣ୍ଟ୍‌ଧାରୀ କ୍ଷମତା ପ୍ରଦାନ ନ କରିବା ଯାଏଁ ବ୍ୟଙ୍କ୍‌ ଏ ଭଳି ଷ୍ଟେଟ୍‌ମେଣ୍ଟ୍‌ ତୃତୀୟ ପକ୍ଷକୁ ଦେଇ ପାରିବ ନାହିଁ। ବ୍ୟାଙ୍କ୍‌ର ଏ ଭଳି କାର୍ଯ୍ୟ ଗ୍ରାହକଙ୍କ ଗୋପନୀୟତା ଉଲ୍ଲଂଘନ କରୁଛି।

ଖାଉଟି ଅଦାଲତ କହିଥିଲେ କି, ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଏବଂ ବ୍ୟାଙ୍କ୍‌ ନିୟମ ଅନୁସାରେ, ପମନନିଙ୍କ ବିନା କ୍ଷମତାପ୍ରଦାନ ଚିଠିରେ କୌଣସି ତୃତୀୟ ପକ୍ଷକୁ ଷ୍ଟେଟ୍‌ମେଣ୍ଟ୍‌ ଦେବା ଅନୁଚିତ ଦର୍ଶାଇ ୧୦ ହଜାର ଟଙ୍କା ଜରିମାନା କରିଥିଲେ।

ସମ୍ବନ୍ଧିତ ଖବର