୨୨୮୪୨ କୋଟିର ବ୍ୟାଙ୍କ ଠକେଇ, ୨୮ଟି ବ୍ୟାଙ୍କକୁ ଚୂନ ଲଗାଇଛି ଘରୋଇ କମ୍ପାନି

ବ୍ୟାଙ୍କ ଠକେଇ ଇତିହାସରେ ସବୁଠୁ ବଡ଼, ଏବିଜି ସିପ୍‌ୟାର୍ଡ ନାମରେ ସିବିଆଇ ମାମଲା

ନୂଆଦିଲ୍ଲୀ : ଭାରତରେ ସବୁଠାରୁ ବଡ଼ ବ୍ୟାଙ୍କ ଠକେଇ ଆଜି ଧରାପଡ଼ିଛି। ଦେଶର ୨୮ଟି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଏହି ଠକେଇର ଶିକାର ହୋଇଛନ୍ତି। ଗୁଜରାଟର ଏକ ଘରୋଇ ଜାହାଜ ନିର୍ମାଣ କମ୍ପାନି ସେମାନଙ୍କ ଠାରୁ ୨୨ ହଜାର ୮୪୨ କୋଟି ଟଙ୍କା ଠକିନେଇଛି। ଏହି କମ୍ପାନିର ନାମ ହେଉଛି ଏବିଜି ସିପୟାର୍ଡ ଲିମିଟେଡ୍‌। କମ୍ପାନିର ନିର୍ଦ୍ଦେଶକମାନଙ୍କ ନାମରେ ସିବିଆଇ ମାମଲା ରୁଜୁ କରିଛି। ଭାରତର ବ୍ୟାଙ୍କ ଠକେଇ ଇତିହାସରେ ଏହା ସବୁଠୁ ବଡ଼ ବୋଲି କୁହାଯାଉଛି।

India Today

ଭାରତୀୟ ଷ୍ଟେଟ ବ୍ୟାଙ୍କ ୨୯୨୫ କୋଟି ଟଙ୍କା ଠକେଇର ଶିକାର ହୋଇଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କ ୭୦୮୯ କୋଟି, ଆଇଡିବିଆଇ ବ୍ୟାଙ୍କ ୩୬୩୪ କୋଟି, ବ୍ୟାଙ୍କ ଅଫ ବରୋଦା ୧୬୧୪ କୋଟି, ପିଏନ୍‌ବି ୧୨୪୪ କୋଟି ଏବଂ ଇଣ୍ଡିଆନ ‌ଓଭରସିଜ୍ ବ୍ୟାଙ୍କ ୧୨୨୮ କୋଟି ଟଙ୍କା ଠକେଇରେ ପଡ଼ିଛନ୍ତି। ଷ୍ଟେଟ ବ୍ୟାଙ୍କର ଅଭିଯୋଗ ଆଧାରରେ ସିବିଆଇ ଏବିଜି ସିପ୍‌ୟାର୍ଡ ଲିମିଟେଡ ଏବଂ ଏହାର ନିର୍ଦ୍ଦେଶକମାନଙ୍କ ନାମରେ ମାମଲା ରୁଜୁ କରିଛି। ଅଭିଯୁକ୍ତମାନେ ହେଲେ କମ୍ପାନିର ତତ୍କାଳୀନ ସିଏମ୍‌ଡି ଋଷି କମଲେଶ ଅଗରୱାଲ, ତତ୍କାଳୀନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଥନମ ମୁଥସ୍ବାମୀ, ନିର୍ଦ୍ଦେଶକ ଅଶ୍ବିନୀ କୁମାର, ସୁଶୀଲ କୁମାର ଅଗରୱାଲ ଏବଂ ରବି ବିମଲ ନେଭେଟିଆ। ଏଥିସହିତ ଏବିଜି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ନାମରେ ମଧ୍ୟ ମାମଲା ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ମୁଖ୍ୟତଃ ଅପରାଧିକ ଷଡ଼୍‌ଯନ୍ତ୍ର, ଠକେଇ, ଅପରାଧିକ ବିଶ୍ବାସ ଭଙ୍ଗ ଏବଂ ନିଜ ପଦପଦବିର ଅପବ୍ୟବହାର ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ଲଗାଯାଇଛି।

ହୀରା ଗହଣା ବ୍ୟବସାୟୀ ନିରବ ମୋଦୀ ଏବଂ ମେହୁଲ ଚୋକ୍‌ସିଙ୍କ ଦ୍ବାରା ହୋଇଥିବା ୧୪ ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ତୁଳନାରେ ଏହା ‌ଢେର୍‌ ଅଧିକ। ଷ୍ଟେଟ ବ୍ୟାଙ୍କର ଅଭିଯୋଗରେ ଦର୍ଶାଯାଇଛି ଯେ ଫରେନସିକ ଅଡିଟରୁ ଉକ୍ତ ଠକେଇ ୨୦୧୨ ଏପ୍ରିଲରୁ ୨୦୧୭ ଜୁଲାଇ ମଧ୍ୟରେ ହୋଇଥିବା ଜଣାଯାଇଛି।

Zee Business

ଋଷି ଅଗରୱାଲଙ୍କ ଦ୍ବାରା ଉକ୍ତ କମ୍ପାନି ସ୍ଥାପନ ହୋଇଛି। ଭାରତରେ ଜାହାଜ ନିର୍ମାଣ କ୍ଷେତ୍ରରେ ଏହା ଏକ ବଡ଼ କମ୍ପାନି। ସୁରଟ ଏବଂ ଦହେଜରେ ଏହି କମ୍ପାନିର ଜାହାଜ ନିର୍ମାଣ ୟୁନିଟ୍ ରହିଛି। ଏବିଜିଏସ୍‌ଏଲ୍‌ ଗତ ୧୬ ବର୍ଷ ମଧ୍ୟରେ ୧୬୫ଟି ଜାହାଜ ନିର୍ମାଣ କରିଛି। ଏଥିରୁ ରପ୍ତାନି ପାଇଁ ୪୬ଟି ଜାହାଜ ନିର୍ମାଣ ହୋଇଛି। କମ୍ପାନି ନ୍ୟୁଜ ପ୍ରିଣ୍ଟ ପରିବହନ, ସ୍ବୟଂକ୍ରିୟ ସିମେଣ୍ଟ ବୋଝେଇ ଏବଂ ଖଲାସ ଆଦି ସୁବିଧା ଥିବା ସ୍ବତନ୍ତ୍ର ଜାହାଜ ମଧ୍ୟ ତିଆରି କରିଛି। ଭାରତ ଏବଂ ବିଶ୍ବର ଅଗ୍ରଣୀ କମ୍ପାନିଗୁଡ଼ିକର ଜାହାଜ ଆବଶ୍ୟକତା ଏବିଜିଏସ୍‌ଏଲ୍‌ ପୂରଣ କରିଥାଏ। ୨୦୧୧ ମସିହାରେ ଏବିଜିଏସ୍‌ଏଲ୍‌ ଭାରତୀୟ ନୌସେନା ପକ୍ଷରୁ ଜାହାଜ ନିର୍ମାଣ ଚୁକ୍ତି ହାସଲ କରିଥିଲା। କିନ୍ତୁ କମ୍ପାନି ଆର୍ଥିକ ସଂକଟ ଦେଇ ଗତି କରୁଥିବାରୁ ପରେ ଏହି ଚୁକ୍ତିକୁ ବାତିଲ କରି ଦିଆଯାଇଥିଲା ବୋଲି ଜଣାଯାଇଛି।

ଏତଲାରୁ ଜଣାଯାଇଛି ଯେ ବିଶ୍ବସ୍ତରରେ ସଂକଟ ଯୋଗୁ ଜାହାଜ ଶିଳ୍ପ ପ୍ରଭାବିତ ହୋଇଛି। କେତେକ ଜାହାଜ ଚୁକ୍ତି ବାତିଲ ହେବା ଦ୍ବାରା କମ୍ପାନି ପକ୍ଷରୁ ନିର୍ମାଣ ହୋଇ ସାରିଥିବା ଜାହାଜ ମହଜୁଦ ସଂଖ୍ୟା ବଢ଼ିଯାଇଥିଲା। ଏଥିପାଇଁ କମ୍ପାନି ନିକଟରେ କାର୍ଯ୍ୟକାରୀ ପୁଞ୍ଜିର ଅଭାବ ଦେଖାଦେଇଥିଲା। ଜାହାଜ ଶିଳ୍ପର ଅଭିବୃଦ୍ଧି ନିମ୍ନମୁଖୀ ଥିବା କାରଣରୁ ବାଣିଜ୍ୟିକ ଜାହାଜର ଚାହିଦା ନଥିଲା। ଏଥିସହିତ ୨୦୧୫ରେ ନୂଆ ପ୍ରତିରକ୍ଷା ଜାହାଜ କ୍ରୟ ଆଦେଶ ବି କମ୍ପାନିକୁ ମିଳି ନଥିଲା। ଫଳରେ କମ୍ପାନି ସୁଧ ଏବଂ କିସ୍ତି ପରିଶୋଧ କରିବାରେ ବିଫଳ ହୋଇଥିଲା। ଆର୍ଥିକ ସଙ୍କଟ ଯୋଗୁ କଂପାନି ଋଣ ଜାଲିଆତି କରିଥିବା କୁହାଯାଇଛି।

କେତେକ ଅଭିଯୁକ୍ତଙ୍କ ଘରେ ସିବିଆଇ ଚଢ଼ଉ ହୋଇଥିବା ଜଣାଯାଇଛି। ଏବିଜି ଗ୍ରୁପ୍‌ର ଏକ ଫ୍ଲାଗସିପ୍ ବା ପ୍ରମୁଖ କମ୍ପାନି ହେଉଛି ଏବିଜି ସିପୟାର୍ଡ ଲିମିଟେଡ। ଏହି କମ୍ପାନି ବିରୋଧରେ ଷ୍ଟେଟ ବ୍ୟାଙ୍କ ପ୍ରଥମେ ୨୦୧୯ ନଭେମ୍ବର ୮ରେ ଅଭିଯୋଗ କରିଥିଲା। ଦେଢ଼ବର୍ଷ ଧରି ତଦନ୍ତ ପରେ ସିବିଆଇ ଗତ ୭ ତାରିଖରେ ଏହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର