ବ୍ୟାଙ୍କ ଠକେଇ : କୋଠାରି ବାପ, ପୁଅ ଗିରଫ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ଆଜି ରୋଟୋମ୍ୟାକ୍‌ କଂପାନିର ମାଲିକ ବିକ୍ରମ କୋଠାରି ଓ ତାଙ୍କ ପୁଅ ରାହୁଲ କୋଠାରିଙ୍କୁ ଗିରଫ କରିଛି। କୋଠାରିଙ୍କ ବିରୋଧରେ ସାତଟି ସରକାରୀ ବ୍ୟାଙ୍କରୁ ୩୬୯୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ଏହି ଠକେଇ ବିଷୟରେ ଜଣାପଡ଼ିବା ପରେ କୋଠାରି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସିବିଆଇ ପକ୍ଷରୁ ପ୍ରଥମେ କାନପୁରରେ ଜେରା କରାଯାଇଥିଲା। ଏହା ପରେ ବୁଧବାର ସେମାନଙ୍କୁ ସିବିଆଇର ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟକୁ ଡକାଇ ଜେରା କରାଯାଇଥିଲା। ଆଜି ବାପ ଓ ପୁଅଙ୍କୁ ଗିରଫ କରାଯାଇଛି।

ଗତ ସପ୍ତାହରେ ସିବିଆଇ ପକ୍ଷରୁ କାନପୁର ଏବଂ ଅନ୍ୟାନ୍ୟ ସ୍ଥାନରେ କୋଠାରିଙ୍କ ଥିବା ବିଭିନ୍ନ ସମ୍ପତ୍ତି ଉପରେ ଚଢ଼ଉ କରାଯିବା ସହିତ କିଛି ସମ୍ପତ୍ତିକୁ ଜବତ କରାଯାଇଥିଲା। ତାଙ୍କର ୧୪ଟି ବ୍ୟାଙ୍କ ଖାତାକୁ ମଧ୍ୟ ଜବତ କରାଯାଇଛି। ସିବିଆଇ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଯେଉଁ କାମ ପାଇଁ ବ୍ୟାଙ୍କଠାରୁ ଋଣ ନିଆଯାଇଥିଲା ତାକୁ ସେହି କାମରେ ବ୍ୟବହାର କରାଯାଇନାହିଁ। ବ୍ୟାଙ୍କ ଋଣକୁ ଅନ୍ୟତ୍ର ବ୍ୟବହାର କରାଯାଇଛି। ଏହି ହେରଫେରରେ ବିକ୍ରମ, ତାଙ୍କ ପତ୍ନୀ ସାଧନା ଏବଂ ପୁଅ ରାହୁଲ ସାମିଲ ଥିଲେ।

ଆହ୍ଲାବାଦ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ, ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍‌ କମର୍ସ ଏବଂ ୟୁନିଅନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆଠାରୁ କୋଠାରି ଋଣ ନେଇଥିଲେ। ବ୍ୟାଙ୍କ ଅଫ୍‌ ଇଣ୍ଡିଆଠାରୁ ୭୫୪ କୋଟି ଟଙ୍କା, ବ୍ୟାଙ୍କ ଅଫ୍‌ ବରୋଦାରୁ ୪୫୬ କୋଟି ଟଙ୍କା, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ୭୭୧ କୋଟି ଟଙ୍କା, ୟୁନିଅନ୍‌ ବ୍ୟାଙ୍କରୁ ୪୫୮ କୋଟି ଟଙ୍କା, ଆହ୍ଲାବାଦ ବ୍ୟାଙ୍କରୁ ୩୩୦ କୋଟି ଟଙ୍କା, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରରୁ ୪୯ କୋଟି ଟଙ୍କା ଏବଂ ଓରିଏଣ୍ଟାଲ୍‌ ବ୍ୟାଙ୍କ୍‌ ଅଫ୍‌ କମର୍ସରୁ ୯୭ କୋଟି ଟଙ୍କାର ଋଣ ନେଇଥିଲେ।

ପିଏନ୍‌ବି ଠକେଇକୁ ନେଇ ସାରା ଦେଶରେ ଜୋରସୋର ଚର୍ଚା ଚାଲିିଥିବା ବେଳେ ରୋଟୋମ୍ୟାକ୍‌ ଠକେଇ ସାମ୍ନାକୁ ଆସିଥିଲା। ପିଏନ୍‌ବିରେ ୧୧ ହଜାର କୋଟିରୁ ଅଧିକ ଟଙ୍କାର ଠକେଇ କରି ହୀରା ବ୍ୟବସାୟୀ ନିରବ ମୋଦି ଦେଶ ଛାଡ଼ି ଚାଲିଯାଇଛନ୍ତି। ସେଭଳି ବିକ୍ରମ କୋଠାରି ମଧ୍ୟ ଦେଶ ଛାଡ଼ି ଚାଲିଯାଇପାରନ୍ତି ବୋଲି ବ୍ୟାଙ୍କ ଅଫ୍‌ ବରୋଦାର ସନ୍ଦେହ ହୋଇଥିଲା। ସେଥିପାଇଁ ବ୍ୟାଙ୍କ ପକ୍ଷରୁ ସିବିଆଇରେ ଏତଲା ଦାୟର କରାଯାଇଥିଲା। ଏହା ପରେ ସିବିଆଇ ପକ୍ଷରୁ ତାଙ୍କୁ ଜେରା ଆରମ୍ଭ କରାଯାଇଥିଲା।

ତେବେ କୋଠାରି ସଫେଇ ଦେଇଛନ୍ତି, ବ୍ୟାଙ୍କର ଟଙ୍କା ଶୁଝିନାହାନ୍ତି ବୋଲି ଯେଉଁ ପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ମିଛ।ରୋଟୋମ୍ୟାକ୍‌ ଠକେଇକୁ ନେଇ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ମଧ୍ୟ ମନି ଲଣ୍ଡରିଂ ମାମଲା ଦାୟର କରି ତଦନ୍ତ କରାଯାଉଛି। କାନପୁରଠାରେ ଥିବା ରୋଟୋମ୍ୟାକ୍‌ର ପେନ୍‌ କାରଖାନା ଡିସେମ୍ବର ୮ରୁ ବନ୍ଦ ହୋଇଯାଇଛି। ଏହି କାରଖାନାରେ କାମ କରୁଥିବା ୪୫୦ କର୍ମଚାରୀଙ୍କ ଚାକିରି ଚାଲିଯାଇଛି। ସେମାନଙ୍କ ମଧ୍ୟରେ ଥିଲେ ୨୫୦ ମହିଳା କର୍ମଚାରୀ।

ସମ୍ବନ୍ଧିତ ଖବର