ନୂଆଦିଲ୍ଲୀ: ଜୁଲାଇ ମାସ ଶେଷ ହେବାକୁ ଆଉ ୪ଦିନ ବାକି ରହିଛି। ୪ଦିନ ପରେ ଅଗଷ୍ଟ ମାସ ଆରମ୍ଭ ହେବ। ଅଗଷ୍ଟ ପହିଲାରୁ ଦେଶରେ ବ୍ୟାଙ୍କ ଠାରୁ ଆରମ୍ଭ କରି ଏଲପିଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହି କ୍ରମରେ ଦେଖିବାକୁ ଗଲେ ଆଗାମୀ ମାସ ଅର୍ଥାତ ଅଗଷ୍ଟ ମାସରେ ଯଦି ଆପଣଙ୍କ ବ୍ୟାଙ୍କ ସହିତ ଜଡ଼ିତ କିଛି ଜରୁରୀ କାମ ଅଛି ତାହାକୁ ତୁରନ୍ତ ଶେଷ କରି ଦିଅନ୍ତି।

Advertisment

ଅଗଷ୍ଟ ମାସରେ ବ୍ୟାଙ୍କରେ ପାଖାପାଖି ୧୪ଦିନ କାମ ହେବନାହିଁ। ଏଥିସହିତ ଏହି ଛୁଟି ଦିନରେ ୨୦୦୦ ଟଙ୍କିଆ ନୋଟର ବି ବଦଳ କରାଯିବ ନାହିଁ। ନିକଟରେ ଭାରତୀୟ ରିଜର୍ବ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କ ହଲିଡେର ଏକ ସୂଚୀ ଜାରି କରିଛି। ଯେଉଁଥିରେ ବ୍ୟାଙ୍କ ୧୪ଦିନ ବନ୍ଦ ରହିବ ବୋଲି ଉଲ୍ଲେଖ ରହିଛି।

ଆରବିଆଇ ମାସରେ କେଉଁକେଉଁ ଦିନ ବ୍ୟାଙ୍କ ଛୁଟି ରହିବ ତାହାର ତାଲିକା ନିଜର ୱେବସାଇଟରେ ଦେଇଥାଏ। ଏହି ଅନୁଯାୟୀ ଅଗଷ୍ଟର ଛୁଟି ତାଲିକା ବି ଅପଲୋଡ କରିଛି।

ଏଥିରେ ଅଗଷ୍ଟ ୬,୧୨,୧୩,୨୦,୨୬ ଓ ୨୭ ତାରିଖ ଶନିବାର ଓ ରବିବାର ପଡ଼ୁଥିବା ହେତୁ ସାପ୍ତାହିକ ଛୁଟି ରହିବ। ସେହିପରି ଅଗଷ୍ଟ ୧୫ରେ ସମସ୍ତ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ। ଏତଦ ବ୍ୟତୀତ ବେଲାପୁର, ମୁମ୍ବାଇ ଓ ନାଗପୁରରେ ଅଗଷ୍ଟ ୧୬, ଗୋହ୍ବାଟିରେ ଅଗଷ୍ଟ ୧୮, କୋଚ୍ଚି ଓ ତିରୁଅନନ୍ତପୁରମରେ ଅଗଷ୍ଟ ୨୮ ଓ ୨୯ରେ ବ୍ୟାଙ୍କ ବନ୍ଦ ରହିବା ବୋଲି ସୂଚନା ରହିଛି। ଏଥିସହିତ ଜୟପୁର, ଶ୍ରୀନଗରରେ ଅଗଷ୍ଟ ୩୦ ଓ କାନପୁର, ଲକ୍ଷ୍ମୌ ଓ ‌ଡେରାଡୁନ‌ରେ ଅଗଷ୍ଟ ୩୧ ବ୍ୟାଙ୍କ ଛୁଟି ରହିବ।

ଏହି କାରଣରୁ ଆପଣ ଅଗଷ୍ଟ ମାସରେ ବ୍ୟାଙ୍କ ଯିବା ପୂର୍ବରୁ କେଉଁକେଉଁ ଦିନ ଛୁଟି ଅଛି ତାହା ଜାଣି ରଖିବା ନିହାତି ଆବଶ୍ୟକ। ଆପଣ ଏହି ଲିଙ୍କରେ https://rbi.org.in/Scripts/HolidayMatrixDisplay.aspx କ୍ଲିକ କରି ପ୍ରତ୍ୟେକ ବ୍ୟାଙ୍କର ହଲିଡେ ସୂଚନା ପାଇ ପାରିବେ। ବ୍ୟାଙ୍କ ବନ୍ଦ ରହିଥିବା ବେଳେ ଆପଣ ଅନଲାଇନ ବ୍ୟାଙ୍କିଂ ଜରିଆରେ କିଛି କାମ ଶେଷ କରି ପାରିବେ। କାରଣ ଏହା ୨୪x୭ ଖୋଲା ରହିଥାଏ।