ଜଣେ ବ୍ୟକ୍ତି ୧୦ଟି ନାମରେ ବ୍ୟାଙ୍କରୁ ଲୁଟିଲେ ଟଙ୍କା

ଜୟପୁର: ଜଣେ ବ୍ୟକ୍ତି, ୧୦ଟି ନାମ | କଥାଟି ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ନିଜର ୧୦ଟି ନାମ ବ୍ୟବହାର କରି ବିଭିନ୍ନ ବ୍ୟାଙ୍କକୁ ଚୁନା ଲଗାଉଥିବା ୨ ଜଣ ଠକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ରାଜସ୍ଥାନ ପୁଲିସ | ରାଜସ୍ଥାନ ଜୟପୁରର ସିନ୍ଧି କ୍ୟାମ୍ପ ପୁଲିସ ନକଲି ନାମରେ ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲି ଫାଇନାନ୍ସ କମ୍ପାନୀ ଏବଂ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ନେଇଥିବା ଏକ ଠକ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି |

ପୁଲିସ ଗିରଫ କରିଥିବା ୨ ଜଣ ଠକଙ୍କ ନାମ ସତ୍ୟେନ୍ଦ୍ର ଦେଶୱାଲ ଏବଂ ରାଜ ସିଂ ଠାକୁର ହୋଇଥିବାବେଳେ ଅଭିଯୋଗ ମୁତାବକ ନକଲି ପରିଚୟ ଦେଇ ଏହି ଦୁଇଜଣ ବିଭିନ୍ନ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀଠାରୁ ଋଣ ନେଉଥିଲେ | ଆଉ ଏହି ଋଣ ନେଇ ଦାମୀ ଗାଡି କିଣିବା ସାଙ୍ଗକୁ ବୁଲାବୁଲିରେ ଖର୍ଚ୍ଚ କରୁଥିଲେ | ଏମାନଙ୍କ ପାଖରୁ ପୁଲିସ ୪ଟି ବିଳାସପୂର୍ଣ୍ଣ କାର, ଲାପଟପ୍, ୧୨ଟି ମୋବାଇଲ୍ ଏବଂ ନକଲି କାଗଜପତ୍ର ଜବତ କରିଛି। ପୁଲିସ ପଚରାଉଚରା ବେଳେ ଏହି ଗ୍ୟାଙ୍ଗ ୫ କୋଟିରୁ ଅଧିକ ଟଙ୍କା ଠକିଥିବା ସ୍ୱୀକାର କରିଛନ୍ତି ।

ପୁଲିସର ସୂଚନା ମୁତାବକ ସିନ୍ଧି କ୍ୟାମ୍ପ ପୁଲିସ ଷ୍ଟେସନରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ପରିଚାଳକ ଅଭିଯୋଗ କରିଥିଲେ ଯେ, ଜଣେ ବ୍ୟକ୍ତି ଏକ ଫାଇନାନ୍ସ କମ୍ପାନୀ ମାଧ୍ୟମରେ ନକଲି କାଗଜପତ୍ର ଦେଇ ଋଣ ନେଇଛନ୍ତି । ପୁଲିସ ଯେତେବେଳେ ଘଟଣା ବାବଦରେ ଅନୁସନ୍ଧାନ କରିଥିଲା ସେତେବେଳେ ଦୁଇ ଜଣ ବ୍ୟକ୍ତି ଏଭଳି କରିଥିବାର ଜାଣିବାକୁ ପାଇଥିଲା | ଏହି ଠକମାନେ ନିଜ ନିଜର ୧୦ଟି ଛଦ୍ମନାମ ବ୍ୟବହାର କରି ଏହି ଠକେଇ କରିଥିବାର ପୁଲିସ ଜାଣିବାକୁ ପାଇଥିଲା | ଏହି ଦୁଇ ଠକ ନକଲି କାଗଜପତ୍ର ପ୍ରସ୍ତୁତ କରି ଅନେକ ନାମିଦାମୀ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀରୁ ଋଣ ନେଇଥିଲେ | ଆଉ ୧୦୦ ଟି ନକଲି ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ୫ କୋଟିରୁ ଅଧିକ ଟଙ୍କା ଠକିଛନ୍ତି।

ସମ୍ବନ୍ଧିତ ଖବର