ହାଫପ୍ୟାଣ୍ଟ ପିନ୍ଧି ବ୍ୟାଙ୍କ ଯିବାରୁ ଗ୍ରାହକଙ୍କୁ ଫେରାଇଦେଲେ ମ୍ୟାନେଜର

କୋଲକାତା: ହାଫପ୍ୟାଣ୍ଟ ପିନ୍ଧି ଯିବାରୁ ବ୍ୟାଙ୍କରେ ପ୍ରବେଶ କରିବାକୁ ଅନୁମତି ଦେଲେ ନାହିଁ ବ୍ୟାଙ୍କ ମ୍ୟାନେଜର | ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ସେ ସର୍ଟ ପିନ୍ଧିଥିବାରୁ ତାଙ୍କୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଶାଖାରୁ ଫେରାଇ ଦିଆଯାଇଛି। ବ୍ୟାଙ୍କ କର୍ମଚାରୀ ତାଙ୍କୁ କହିଥିଲେ ଯେ ସେ ଫୁଲପ୍ୟାଣ୍ଟ ପିନ୍ଧି ନ ଆସିବା ପର୍ଯ୍ୟନ୍ତ ସେ ବ୍ୟାଙ୍କରେ ପ୍ରବେଶ କରିପାରିବେ ନାହିଁ। ତାଙ୍କ ସହ ହୋଇଥିବା ଏଭଳି ବ୍ୟବହାର ପରେ ବ୍ୟକ୍ତି ଜଣକ ଟ୍ୱିଟରରେ ଏସବିଆଇକୁ ଟ୍ୟାଗ କରି ଅଭିଯୋଗ କରିଛନ୍ତି ଯେ ବ୍ୟାଙ୍କକୁ ଆସୁଥିବା ଗ୍ରାହକଙ୍କ ପାଇଁ କିଛି ଡ୍ରେସ କୋଡ୍ ଅଛି କି?

ଆଶିଷ ନାମକ ଏହି ବ୍ୟକ୍ତି ତାଙ୍କ ଟ୍ୱିଟରେ ଏସବିଆଇକୁ ଟ୍ୟାଗ କରିଛନ୍ତି ଏବଂ ଲେଖିଛନ୍ତି ଯେ, ‘ଆଜି ସର୍ଟ ପିନ୍ଧି ଆପଣଙ୍କ(ଏସବିଆଇ) ଗୋଟିଏ ଶାଖାକୁ ଯାଇଥିଲି, ଯେତେବେଳେ ମୁଁ ବ୍ୟାଙ୍କରେ ପ୍ରବେଶ କରିବାକୁ ଚେଷ୍ଟା କଲି, ମୋତେ ଫୁଲପ୍ୟାଣ୍ଟରେ ଆସିବାକୁ କୁହାଗଲା କାରଣ ଗ୍ରାହକମାନଙ୍କୁ ସଭ୍ୟ ଢଙ୍ଗରେ ଆସିବାକୁ ପଡିବ ବୋଲି ଶାଖା ପକ୍ଷରୁ କୁହାଯାଇଥିଲା |

ଆଶିଷ ତାଙ୍କ ଅନ୍ୟ ଟ୍ୱିଟରେ କହିଛନ୍ତି ଯେ ମୁଁ ପ୍ରଥମ ଗ୍ରାହକ ନୁହେଁ, ଯାହାଙ୍କ ସହ ଏପରି ଘଟଣା ଘଟିଛି। କିଛି ବର୍ଷ ପୂର୍ବେ ପୁଣେରେ ମଧ୍ୟ ଏପରି ମାମଲା ଘଟିଥିଲା, ​​ଯେଉଁଥିରେ ସର୍ଟ ପିନ୍ଧି ଆସିଥିବା ଜଣେ ଗ୍ରାହକଙ୍କୁ ଏସବିଆଇର ତିଲକ ରୋଡ ଶାଖା ଫେରାଇଦେଇଥିଲା | ଏହାକୁ ନେଇ ଏସବିଆଇ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ‘ଆମେ ଆପଣଙ୍କ ଚିନ୍ତାଧାରାକୁ ବୁଝିପାରୁଛୁ ଏବଂ ସମ୍ମାନ ଦେଉଛୁ | ଆମର ଗ୍ରାହକଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଡ୍ରେସ୍ କୋଡ୍ ନାହିଁ, ସେମାନେ ନିଜ ଇଚ୍ଛାନୁସାରେ ପରିଧାନ କରିପାରିବେ’ |

ସମ୍ବନ୍ଧିତ ଖବର