ଶ୍ରୀନଗର: ଆଜି ଜମ୍ମୁ ଓ କଶ୍ମୀରର କୁଲ୍ଗାମ୍ରେ ରାଜସ୍ଥାନର ଜଣେ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା କଥା କଶ୍ମୀର ଜୋନ୍ ପୁଲିସ କହିଛି।
ଏ ସଂକ୍ରାନ୍ତରେ ଟୁଇଟ୍ କରି କଶ୍ମୀର ଜୋନ୍ ପୁଲିସ କହିଛି: ଦକ୍ଷିଣ କଶ୍ମୀରର କୁଲ୍ଗାମ୍ ଜିଲ୍ଲା ଅନ୍ତର୍ଗତ ମୋହନପୋରା ଅଞ୍ଚଳର ଆରେସ୍ଥିତ ‘ଏଲ୍ଲାକ୍ବାଇ ଦେହାତି ବ୍ୟାଙ୍କ୍’ରେ କାର୍ଯ୍ୟ କରୁଥିବା ବିଜୟ କୁମାର ନାମରେ ଜଣେ ବ୍ୟକ୍ତିଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଚିକିତ୍ସା ନିମନ୍ତେ ରାଜସ୍ଥାନର ହନୁମାନଗଡ଼ବାସୀ କୁମାରଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ଏହା ମଧ୍ୟ ଜମ୍ମୁ ଓ କଶ୍ମୀରରେ ହିନ୍ଦୁମାନଙ୍କୁ ‘ଟାର୍ଗେଟ୍’ କରି ହତ୍ୟା କରାଯିବାର ଆଉ ଏକ ଘଟଣା। ମେ ୧୨ ତାରିଖରେ ବଡ଼ଗାମ୍ ଜିଲ୍ଲାରେ ଆତଙ୍କବାଦୀମାନେ ରାହୁଲ୍ ଭଟ୍ଟ ନାମରେ ଜଣେ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ହତ୍ୟା କରିଥିଲେ।
ଆଜି ସକାଳେ ଶୋପିଆଁ ଜିଲ୍ଲାରେ ବୋମା ବିସ୍ଫୋରଣ ଘଟି ୩ଜଣ ଯବାନ ଆହତ ହୋଇଥିବା ସ୍ଥାନଠାରୁ ପ୍ରାୟ ୧୩ କିଲୋମିଟର୍ ଦୂରରେ ଆତଙ୍କବାଦୀମାନେ ବ୍ୟାଙ୍କ୍ ମ୍ୟାନେଜର୍ କୁମାରଙ୍କୁ ଆକ୍ରମଣ କରିଛନ୍ତି।
ମାତ୍ର ୨ ଦିନ ପୂର୍ବେ ଦକ୍ଷିଣ କଶ୍ମୀରର କୁଲ୍ଗାମ୍ ଜିଲ୍ଲା ଅନ୍ତର୍ଗତ ଗୋପାଳପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଜଣେ ହିନ୍ଦୁ ମହିଳାଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ରଜନୀବାଳା ନାମକ ଉକ୍ତ ମହିଳା ଜଣେ ସ୍କୁଲ୍ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ ବୋଲି ପୁଲିସ କହିଛି। ସେ ଜମ୍ମୁ ଡିଭିଜନ୍ର ସାମ୍ବାରେ ସ୍ବାମୀ ଓ କନ୍ୟାଙ୍କ ସହିତ ବସବାସ କରୁଥିଲେ।