ଡେଟିଂ ଆପ୍‌ର ଗାର୍ଲଫ୍ରେଣ୍ଡ୍‌କୁ ୫.୭ କୋଟି ଦେଇ ବ୍ୟାଙ୍କ୍‌ ଅଧିକାରୀ ଗିରଫ

ବେଙ୍ଗାଲୁରୁ : ଡେଟିଙ୍ଗ୍‌ ଆପ୍‌ରୁ ଗାର୍ଲଫ୍ରେଣ୍ଡ୍ ବନାଇ ତାଙ୍କୁ ୫.୭ କୋଟି ଟଙ୍କା ଦେଇଥିବା ଅଭିଯୋଗରେ ଜଣେ ବ୍ୟାଙ୍କ ମ୍ୟାନେଜର ଗିରଫ ହୋଇଛନ୍ତି। ଖବରଟି ହେଲା ବେଙ୍ଗାଲୁରୁର ହନୁମନ୍ତନଗରରେ ଥିବା ଇଣ୍ଡିଆନ୍‌ ବ୍ୟାଙ୍କ୍‌ର।

ଏହି ବ୍ୟାଙ୍କରେ ଜଣେ ଗ୍ରାହକ ୧.୩ କୋଟି ଟଙ୍କା ସ୍ଥାୟୀ ଜମା ଆକାରରେ ରଖିଥିଲେ। ସେହି ଆଧାରରେ ସେ ୭୫ ଲକ୍ଷ ଟଙ୍କାର ଋଣ ନେଇଥିଲେ। କିନ୍ତୁ ବ୍ୟାଙ୍କ ମ୍ୟାନେଜର ହରି ଶଙ୍କର ବ୍ୟାଙ୍କର ଦୁଇ ସହକର୍ମୀଙ୍କ ସହ ମିଶି ମହିଳାଙ୍କ କାଗଜପତ୍ର ବଦଳାଇ ଉକ୍ତ ୧.୩ କୋଟି ଟଙ୍କାକୁ ସିକ୍ୟୁରିଟି ଭାବେ ରଖି ୫.୭ କୋଟି ଟଙ୍କା ନିଜ ଗାର୍ଲଫ୍ରେଣ୍ଡ୍‌କୁ ବିଭିନ୍ନ କିସ୍ତିରେ ଓଭରଡ୍ରାଫ୍ଟ ଆକାରରେ ଦେଇଥିଲେ। ଉକ୍ତ ଜାଲିଆତି ମେ ୧୩ରୁ ୧୯ ଭିତରେ ଘଟିଥିଲା। ଆଭ୍ୟନ୍ତରୀଣ ଅନୁସନ୍ଧାନରୁ ଜଣାପଡ଼ିଲା ଯେ ଉକ୍ତ ଟଙ୍କା ପଶ୍ଚିମବଙ୍ଗର ବିଭିନ୍ନ ବ୍ୟାଙ୍କର ୨୮ଟି ଏବଂ କର୍ଣ୍ଣାଟକର ଦୁଇଟି ଆକାଉଣ଼୍ଟକୁ ୧୩୬ଟି କାରବାର ମାଧ୍ୟମରେ ପଠାଯାଇଛି। ଏଥିସହ ହରି ନିଜ ଆକାଉଣ୍ଟରୁ ମଧ୍ୟ ୧୨.୫ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି। ଏ ନେଇ ବ୍ୟାଙ୍କ ଜୋନାଲ୍‌ ମ୍ୟାନେଜର ହରିଙ୍କ ନାମରେଏକ ମାମଲା ରୁଜୁ କରୁଥିଲେ। ଅଭିଯୁକ୍ତକୁ କୋର୍ଟ ୧୦ ଦିନ ପାଇଁ ପୁଲିସ ହେପାଜତକୁ ପଠାଇଥିବା ବେଳେ ଅନ୍ୟ ଦୁଇ ସହଯୋଗୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଅନ୍ୟପକ୍ଷେ ହରି ପୁଲିସକୁ ଦେଇଥିବା ବୟାନରେ ତାଙ୍କ ସହ ସାଇବର୍ ଠକେଇ ହୋଇଥିବା କହିଛନ୍ତି। ଅପରାଧୀମାନେ ଡେଟିଙ୍ଗ୍‌ ଆପ୍‌ ବ୍ୟବହାର କରି ତାଙ୍କୁ ଫସାଇ ଥିବା ସେ ସଫେଇ ଦେଇଛନ୍ତି। ତେବେ ତାଙ୍କ ବୟାନକୁ ଭିତ୍ତି କରି ପୁଲିସ ଏହାର ଖୋଡତାଳ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର