ଆରମ୍ଭ ହେଲା ୨ ଦିନିଆ ବ୍ୟାଙ୍କ ଧର୍ମଘଟ; ନଗଦ ଟଙ୍କାର ଅଭାବ ସୃଷ୍ଟି ହେବା ନେଇ ଆଶଙ୍କା

ନୂଆଦିଲ୍ଲୀ: ଆଜି (ଶୁକ୍ରବାର) ଠାରୁ ବ୍ୟାଙ୍କ୍‌ କର୍ମଚାରୀମାନେ ସେମାନଙ୍କର ଦୁଇ ଦିନିଆ ଧର୍ମଘଟ ଆରମ୍ଭ କରିଥିବା ବେଳେ ଦେଶରେ ବ୍ୟାଙ୍କ୍‌ ସେବା ସଂପୂର୍ଣ୍ଣ ଠପ୍‌ ହୋଇ ପଡ଼ିଛି। ଆଜି ଠାରୁ ବଜେଟ ଅଧିବେଶନ ଆରମ୍ଭ ହୋଇ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଥିଲେ ମଧ୍ୟ ଧର୍ମଘଟ ଯୋଗୁଁ ଦେଶର ବ୍ୟାଙ୍କ ସବୁ ବନ୍ଦ ରହିଛି। ଆସନ୍ତାକାଲି (ଶନିବାର) ସଂସଦରେ ବଜେଟ ଆଗତ ଦିନ ମଧ୍ୟ ସେହି ଧର୍ମଘଟ କାରଣରୁ ବ୍ୟାଙ୍କ ରହିଥିବ। ତା’ ପରଦିନ ରବିବାର ପାଇଁ ବ୍ୟାଙ୍କ୍‌ ବନ୍ଦ ରହିବ।

ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ଲଗାତାର ଭାବେ ୩ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହୁ ଥିବାରୁ ଏହି ସମୟ ମଧ୍ୟରେ ଦେଶରେ ନଗଦ ଟଙ୍କାର ଅଭାବ ଦେଖାଦେବା ଦେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ, ଏହି ତିନିଦିନର ସମୟ କାଳ ମଧ୍ୟରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ଦେଶର କୌଣସି ବି ଏଟିଏମ୍‌ରେ ଟଙ୍କା ପଶି ପାରିବ ନାହିଁ। ଫଳରେ ଏଏଟିମ୍‌ଗୁଡ଼ିକ ହୋଇଯିବ ଟଙ୍କାଶୂନ୍ୟ!

News Nation

ଏଣେ ଶୁକ୍ରବାର ଜାନୁଆରି ମାସର ଶେଷ ଦିନ ଓ ଶନିବାର ଫେବ୍ରୁଆରି ମାସର ପ୍ରଥମ ଦିନ। ଏହି ଦୁଇ ଦିନରେ ସମସ୍ତ ବେତନ ଭୋଗୀ ଓ ପେନସନ୍‌ ଭୋଗୀ ମାନଙ୍କର ଟଙ୍କା ବ୍ୟାଙ୍କଗୁଡ଼ିକରେ ଜମା ହେବ। ହେଲେ, ଏଟିଏମ୍‌ ଗୁଡ଼ିକ ଟଙ୍କାଶୂନ୍ୟ ଥିବାରୁ କେହି ବି ହେଲେ ଟଙ୍କା ଉଠାଇ ପାରିବେ ନାହିଁ। ସୋମବାର ଅପରାହ୍ଣ ପର ଠାରୁ ହିଁ ଏଟିଏମ୍‌ରୁ ଯାଇ ଟଙ୍କା ମିଳିପାରିବ। ଫଳରେ ମାସ ଶେଷ ଓ ଆରମ୍ଭରେ ଲୋକେ ନଗଦ ଟଙ୍କା ଅଭାବରେ ହନ୍ତସନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର