ନୂଆଦିଲ୍ଲୀ : ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କିଛି ହାତଗଣତି ଲୋକଙ୍କ ଦ୍ବାରା ସବୁବେଳେ ପରିଚାଳିତ ହେଉ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଚାହୁନାହିଁ। ବ୍ୟାଙ୍କରେ ନିୟମିତ ବ୍ୟବଧାନରେ ଦେଖାଦେଉଥିବା ବିଭିନ୍ନ ପ୍ରକାର ବିପଦର ମୁକାବିଲା କରିବା ଲାଗି ‘ବାଧ୍ୟତାମୂଳକ ଛୁଟି’ ବ୍ୟବସ୍ଥା ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଧିକାରୀମାନଙ୍କୁ ହଠାତ୍‌ ଲମ୍ବା ଛୁଟିରେ ପଠାଇବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ସେମାନଙ୍କୁ ୧୦ କିମ୍ବା ତା’ଠାରୁ ଅଧିକ ଦିନ ବାଧ୍ୟତାମୂଳକ ଛୁଟି ଦିଆଯିବ। ସବୁଠୁ ବଡ଼ କଥା ହେଉଛି ଯେଉଁ ଅଧିକାରୀଙ୍କୁ ଛୁଟି ଦିଆଯିବ ତାଙ୍କୁ ସେବିଷୟରେ ‌ପୂର୍ବରୁ କୌଣସି ସୂଚନା ଦିଆଯିବ ନାହିଁ। ଅଚାନକ ତାଙ୍କୁ ଛୁଟିରେ ପଠାଇ ଦିଆଯିବ। ‘ବାଧ୍ୟତାମୂଳକ ଛୁଟି’ ବ୍ୟବସ୍ଥା ଲାଗୁ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିୟମ ପାଳନ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ଛଅ ମାସର ସମୟ ଦିଆଯାଇଛି।

Advertisment

ରିଜର୍ଭ ବ୍ୟାଙ୍କ ଏହା ସ୍ପଷ୍ଟ କରିଛି ଯେ ଯେଉଁ ଅଧିକାରୀଙ୍କୁ ବାଧ୍ୟତାମୂଳକ ଛୁଟି ଦିଆଯିବ ସେ ଛୁଟିରେ ଥିବା ବେଳେ ଯେଭଳି ବ୍ୟାଙ୍କର କୌଣସି ବ୍ୟବସ୍ଥାକୁ ବ୍ୟକ୍ତିଗତ ଭାବେ କିମ୍ବା ଭର୍ଚୁଆଲ୍ ମାଧ୍ୟମରେ ହାସଲ ନକରନ୍ତି ତାହା ନିଶ୍ଚିତ କରିବା ଦାୟିତ୍ବ ବ୍ୟାଙ୍କ କର୍ତ୍ତପକ୍ଷ ନେବେ। ଛୁଟିରେ ଥିବା ବେଳେ ଅଧିକାରୀ ଜଣକ ନିଜର କୌଣସି ଦାୟିତ୍ବ ନିର୍ବାହ କରିପାରିବେ ନାହିଁ। ସବୁ କର୍ମଚାରୀମାନଙ୍କ ଲାଗି ଉଦ୍ଦିଷ୍ଟ କର୍ପୋରେଟ୍‌ ଇ-ମେଲ୍‌କୁ ସେମାନେ କେବଳ ହାସଲ କରିପାରିବେ। କେଉଁ ପଦରେ ଥିବା ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଛୁଟି ଦିଆଯିବ ତାହାର ତାଲିକା ପ୍ରସ୍ତୁତ କରିବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ସେହି ତାଲିକାକୁ ନିୟମିତ ବ୍ୟବଧାନରେ ସମୀକ୍ଷା କରାଯିବ। ଏହି ନୀତିର କାର୍ଯ୍ୟକାରିତା ଉପରେ ରିଜର୍ଭ ବ୍ୟାଙ୍କ ନଜର ରଖିବ।