ଭାରତୀୟ ବ୍ୟାଙ୍କ ବ୍ୟବସ୍ଥା ସ୍ଥିର ଓ ଦୃଢ ରହିଛି : ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଆଦାନୀ ଗ୍ରୁପକୁ ନେଇ ଭାରତୀୟ ସେୟାର ବଜାରରେ ଅସ୍ଥିରତା ଜାରି ରହିଥିବାବେଳେ ଭାରତୀୟ ବ୍ୟାଙ୍କମାନେ ଆାଦାନୀ ଗ୍ରୁପକୁ ଦେଇଥିବା ଋଣର ଭବିଷ୍ୟତକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ପରିପ୍ରେକ୍ଷୀ ରିଜର୍ଭ ବ୍ୟାଙ୍କର ଏକ ବୟାନ ଆସିଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଯେ ଭାରତର ବ୍ୟାଙ୍କିଙ୍ଗ୍ କ୍ଷେତ୍ର ଶକ୍ତିଶାଳୀ ଏବଂ ସ୍ଥିର ରହିଛି । ଋଣଦାତାମାନଙ୍କ ଉପରେ କ୍ରମାଗତ ନଜର ରଖାଯାଇଛି । ଭାରତୀୟ ବଜାରରେ ଚାଲିଥିବା ଅସ୍ଥିରତା ଓ ଆଦାନୀକୁ ବ୍ୟାଙ୍କଋଣର ଭବିଷ୍ୟତ ସଂପର୍କରେ ଗଣମାଧ୍ୟମରେ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆରବିଆଇ ଏକ ବିବୃତ୍ତିରେ କହିଛି,  ନିୟମିତ ଭାବରେ ବ୍ୟାଙ୍କିଙ୍ଗ କ୍ଷେତ୍ର ଉପରେ ନଜର ରଖାଯାଇଛି । ତେବେ ଆରବିଆଇ ଆଦାନୀ ଗ୍ରୁପ୍ ର ନାମ ଦେଇନାହିଁ ।

ଆରବିଆଇ କହିଛି ଯେ ବର୍ତ୍ତମାନର ମୂଲ୍ୟାଙ୍କନ ଅନୁଯାୟୀ, “ବ୍ୟାଙ୍କିଙ୍ଗ କ୍ଷେତ୍ର ଦୃଢ ଏବଂ ସ୍ଥିର ରହିଛି। ପୁଞ୍ଜି ପର୍ଯ୍ୟାପ୍ତତା, ସମ୍ପତ୍ତି ଗୁଣବତ୍ତା, ତରଳତା, ବ୍ୟବସ୍ଥା ବିସ୍ତାର ଏବଂ ଲାଭସହିତ ଜଡିତ ବିଭିନ୍ନ ମାନଦଣ୍ଡ ଭଲ ସ୍ଥିତିରେ ଅଛି । “ନିୟାମକ ଏବଂ ପର୍ଯ୍ୟବେକ୍ଷକ ଭାବରେ, ଆରବିଆଇ ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ର ଏବଂ ପ୍ରତ୍ୟେକ ବ୍ୟାଙ୍କ ଉପରେ କ୍ରମାଗତ ଭାବରେ ନଜର ରଖେ । ଆରବିଆଇ ପାଖରେ ବୃହତ ଋଣ ସମ୍ବନ୍ଧୀୟ ସୂଚନା (ସିଆରଆଇଏଲସି) ଡାଟାବେସ୍ ସିଷ୍ଟମର ଏକ କେନ୍ଦ୍ରୀୟ ବ୍ୟବସ୍ଥା ଅଛି, ଯେଉଁଠାରେ ବ୍ୟାଙ୍କଗୁଡିକ ସେମାନଙ୍କର ୫ କୋଟି ଟଙ୍କା ଏବଂ ତା’ଠାରୁ ଅଧିକ ଋଣ ବିଷୟରେ ସୂଚନା ଦିଅନ୍ତି । ଏହି ସୂଚନା ପର୍ଯ୍ୟବେକ୍ଷଣ ପାଇଁ ବ୍ୟବହୃତ ହୁଏ ବୋଲି ସେ କହିଛନ୍ତି ।

 

ସମ୍ବନ୍ଧିତ ଖବର