ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ପ୍ରଭାବରେ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଏଥିସହ ବ୍ୟାଙ୍କ୍ମାନଙ୍କରୁ ଋଣ ନେଇ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେବା ସହ ଚାପଗ୍ରସ୍ତ ହୋଇଛନ୍ତି। ଏହାକୁ ହୃଦୟଙ୍ଗମ କରି ଦେଶର ଶୀର୍ଷ ଅଦାଲତ କୋଭିଡ୍-୧୯ ମହାମାରୀ ପ୍ରଭାବରେ ଚାପଗ୍ରସ୍ତ ବ୍ୟାଙ୍କ ଋଣ ଗ୍ରହୀତାମାନଙ୍କର ଚାପକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆଗତ ଏକ ମାମଲାର ଶୁଣାଣି କରି କହିଛନ୍ତି କୋଭିଡ୍-୧୯ ମହାମାରୀ ପ୍ରଭାବକୁ ଦୃଷ୍ଟିରେ ରଖି ବ୍ୟାଙ୍କ୍ମାନେ ସେମାନଙ୍କର ଋଣ ଆଦାୟ ନୀତିକୁ ପରିବର୍ତ୍ତନ କରି ପାରିବେ। କିମ୍ବା ତାହାର ପୁନର୍ବିନ୍ୟାସ କରିପାରିବେ। କିନ୍ତୁ, ‘ମୋରାଟୋରିୟମ’ ସୁବିଧା ପାଇଥିବା କୌଣସି ଗ୍ରାହକ ଠାରୁ ଋଣ ପରିଶୋଧରେ ଖିଲାପ ବା ଋଣ କିସ୍ତି ପ୍ରଦାନରେ ବିଳମ୍ବ ପାଇଁ ସେମାନଙ୍କ ଠାରୁ କୌଣସି ପ୍ରକାରର ଜରିମାନା ଆଦାୟ କରିପାରିବେ ନାହିଁ। ଏପରିକି ଋଣ ଅନାଦାୟେ ଋଣ ଗ୍ରହୀତାମାନେ ପ୍ରଦାନ କରିବାକୁ ଥିବା ସୁଧ ରାଶି ଉପରେ ମଧ୍ୟ ବିଳମ୍ବ ଜନିତ ଆଉ ଅଧିକ ସୁଧ କଷି ପାରିବେ ନାହିଁ କି ଆଦାୟ କରିପାରିବେ ନାହିଁ।
/sambad/media/post_attachments/wp-content/uploads/2020/09/Sc1.jpg)
ଉଲ୍ଲେଖଯୋଗ୍ୟ, କୋଭିଡ୍-୧୯ ପ୍ରଭାବରେ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ୨ ବର୍ଷ ପାଇଁ ଋଣକିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇପାରେ ବୋଲି ମଙ୍ଗଳବାର ଉଭୟ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ସୁପ୍ରିମ କୋର୍ଟଙ୍କୁ କହିଥିଲେ। କୋଭିଡ୍-୧୯ ମହାମାରୀର ପ୍ରଭାବକୁ ଅନୁଧ୍ୟାନ କରି ଋଣ କିସ୍ତି ପରିଶୋଧର ଅବଧିକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇ ପାରିବ। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର (ଆରବିଆଇ) କ୍ଷମତା ପରିସର ଭୁକ୍ତ ଓ ଏଥିପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କର ପ୍ରାବଧାନ ରହିଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ସୁପ୍ରିମ୍ କୋର୍ଟଙ୍କୁ ଅବଗତ କରାଇଥିଲେ।