ଠକେଇ ଯୋଗୁଁ ୧୭ ହଜାର କୋଟିର କ୍ଷତି ସହିଛନ୍ତି ବ୍ୟାଙ୍କ

ମୁମ୍ବାଇ: ଗତ ଆର୍ଥିକ ବର୍ଷରେ ବ୍ୟାଙ୍କମାନେ ପ୍ରାୟ ୧୬,୭୮୯ କୋଟି ଟଙ୍କା ଠକେଇ ଯୋଗୁଁ କ୍ଷତି ସହିଛନ୍ତି ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ କୁହାଯାଇଛି । ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ପ୍ରତାପ ଶୁକ୍ଳା କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଦତ୍ତ ଠକେଇ ତଦାରଖ ରିପୋର୍ଟ ଅନୁସାରେ ବିଭିନ୍ନ ବାଣିଜ୍ୟିକ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଏହି ପରିମାଣର କ୍ଷତି ସହିଛନ୍ତି ।

ସେ କହିଛନ୍ତି ଯେ ଅନଲାଇନ ଠକେଇ ରୋକିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ସ୍ଥାୟୀ କମିଟି ଗଠନ କରାଯାଇଛି । ଏଥିରେ ସାଇବର ସିକ୍ୟୁରିଟି ଏକ୍ସପର୍ଟ, ଅର୍ଥନୀତି ବିଶେଷଜ୍ଞ, ଫରେନସିକ୍‌ ବିଶେଷଜ୍ଞ ସଦସ୍ୟ ରହିଛନ୍ତି । ବଢିଚାଲିଥିବା ଅନଲାଇନ ଠକେଇ ସମସ୍ୟା ଓ ନୂଆ ନୂଆ ଟେକନଲୋଜୀ, ସାଇବର ଆଟାକ୍‌ ଆଦି ଉପରେ କମିଟି ନଜର ରଖିବ । ଅନ୍ୟପକ୍ଷରେ ଗତ ଆର୍ଥିକ ବର୍ଷରେ ବ୍ୟାଙ୍କ ଡକାୟତି, ଚୋରୀ ଆଦିରେ ପ୍ରାୟ ୬୫.୩ କୋଟି ଟଙ୍କାର କ୍ଷତି ହୋଇଛି । ସେହିପରି ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ବ୍ୟାଙ୍କ ଡକାୟତି ଓ ଚୋରୀ ଆଦି ଯୋଗୁଁ ୧୮.୪୮ କୋଟି ଟଙ୍କା କ୍ଷତି ସହିଛି ।

ସେ କହିଛନ୍ତି ଯେ ଏଟିଏମଗୁଡ଼ିକର ସୁରକ୍ଷା ମାନକ ବୃଦ୍ଧି କରିବାକୁ ବ୍ୟାଙ୍କମାନଙ୍କୁ କୁହାଯାଇଛି । ନିୟମିତ ବ୍ୟବଧାନରେ ଏଟିଏମ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଜାରି କରାଯାଇଛି ।

ଅନ୍ୟପକ୍ଷରେ ଜବତ ହୋଇଥିବା ନକଲି ୫୦୦ ଓ ୨ ହଜାର ଟଙ୍କିଆ ନୋଟ ଗୁଡ଼ିକ ସାଧାରଣତଃ ସ୍କାନ ବା ଫଟୋକପି ବୋଲି ସରକାର କହିଛନ୍ତି ।

ସମ୍ବନ୍ଧିତ ଖବର