ମାର୍ଚ ୨୭ରୁ ଏପ୍ରିଲ୍‌ ୪ ମଧ୍ୟରେ ମାତ୍ର ୨ ଦିନ ଖୋଲା ରହିବ ବ୍ୟାଙ୍କ୍‌

ନୂଆଦିଲ୍ଳୀ: ମାର୍ଚ ୨୭(ଆସନ୍ତାକାଲି)ଠାରୁ ଏପ୍ରିଲ୍‌ ୪ ତାରିଖ ମଧ୍ୟରେ ମାତ୍ର ଦୁଇ ଦିନ ପାଇଁ ଦେଶର ସମସ୍ତ ସରକାରୀ ଓ ପ୍ରାଇଭେଟ୍‌ ବ୍ୟାଙ୍କ୍‌ ଖୋଲା ରହିବ। ଆସନ୍ତାକାଲି ଅର୍ଥାତ ମାର୍ଚ ୨୭ ତାରିଖ ମାସର ଶେଷ ଶନିବାର କାରଣରୁ ବ୍ୟାଙ୍କ୍‌ ବନ୍ଦ କରିବ। ୨୮ ତାରିଖ ରବିବାର ଓ ୨୯ ତାରିଖ ହୋଲି କାରଣରୁ ବ୍ୟାଙ୍କ୍‌ଗୁଡ଼ିକ ବନ୍ଦ ରହିବ ବୋଲି ସୂଚନା ରହିଛି।

ସେହିପରି ମାର୍ଚ ୩୧ ତାରିଖ ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ଏହି ଦିନ ମଧ୍ୟ ବ୍ୟାଙ୍କ୍‌ ବନ୍ଦ ରହିବ। ଏପ୍ରିଲ୍‌ ପହିଲାରେ ବ୍ୟାଙ୍କ୍‌ କ୍ଲୋଜିଂ ଅଫ୍‌ ଆକାଉଣ୍ଟ୍‌, ୨ ତାରିଖରେ ଗୁଡ୍‌ ଫ୍ରାଇଡେ ଓ ଏପ୍ରିଲ୍‌ ୪ ତାରିଖ ରବିବାର ପାଇଁ ବ୍ୟାଙ୍କ୍‌ ବନ୍ଦ ରହିବ। ଯେଉଁମାନଙ୍କର ବ୍ୟାଙ୍କ୍‌ରେ ଜରୁରୀ କାମ ଅଛି ସେମାନେ ମାର୍ଚ ୩୦ ତାରିଖ ଓ ଏପ୍ରିଲ୍‌ ୩ ତାରିଖରେ ସେମାନଙ୍କ କାମ କରିପାରିବେ। ଏହି ଦୁଇ ଦିନ ବ୍ୟାଙ୍କ୍‌ ଖୋଲା ରହିବ।

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌(ଆରବିଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଟ୍‌ନାରେ ଥିବା ବ୍ୟାଙ୍କ୍‌ଗୁଡ଼ିକ ମାର୍ଚ ୩୦ ତାରିଖରେ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ରହିଛି। ତେବେ ଏଟିଏମ୍‌ ଏବଂ ଇଣ୍ଟର୍‌ନେଟ୍‌ ବ୍ୟାଙ୍କିଂ ସେବାରେ ସେପରି କୌଣସି ବାଧା ଉପୁଜିବ ନାହିଁ। ଅନ୍‌ଲାଇନ୍‌ ସେବାଗୁଡ଼ିକ ପୂର୍ବ ପରି ଚାଲୁ ରହିବ।

ସମ୍ବନ୍ଧିତ ଖବର