ନିଷିଦ୍ଧ ହେଲା ପିଏଫ୍‌ଆଇ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଚରମପନ୍ଥୀ ସଂଗଠନ ପିଏଫ୍ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) ଏବଂ ଏହାର ୮ ସହଯୋଗୀ ସଂଗଠନକୁ କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ ନିୟନ୍ତ୍ରଣ ଆଇନ ଅଧୀନରେ ୫ ବର୍ଷ ପାଇଁ ବେଆଇନ ଘୋଷଣା କରିଛନ୍ତି। ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଏବଂ ଆଇଏସଆଇଏସ ପରି ବିଶ୍ବ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି ପାଇଁ ପିଏଫ୍‌ଆଇ ବିରୋଧରେ ଦ୍ବିତୀୟ ପର୍ଯ୍ୟାୟ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଚଢ଼ଉ ପରେ ସରକାର ଆଜି ଏହି ଘୋଷଣା କରିଛନ୍ତି। ପିଏଫ୍‌ଆଇ ସହିତ ନିଷିଦ୍ଧ ଘୋଷଣା ହୋଇଥିବା ଅନ୍ୟ ସଂଗଠନ ଗୁଡ଼ିକ ହେଉଛି ରେହାବ ଇଣ୍ଡିଆ ଫାଉଣ୍ଡେସନ, କ୍ୟାମ୍ପସ ଫ୍ରଣ୍ଟ୍‌ ଅଫ ଇଣ୍ଡିଆ, ଅଲ ଇଣ୍ଡିଆ ଇମାମ୍ସ କାଉନ୍‌ସିଲ, ନ୍ୟାସନାଲ କନଫେଡେରେସନ୍‌ ଅଫ ହ୍ୟୁମାନ ରାଇଟ୍ସ ସଂଗଠନ, ନ୍ୟାସନାଲ ଓମେନ୍ସ ଫ୍ରଣ୍ଟ୍‌, ଜୁନିୟର ଫ୍ରଣ୍ଟ୍‌, ଏମ୍ପାୱାର ଇଣ୍ଡିଆ ଫାଉଣ୍ଡେସନ ଏବଂ ରେହାବ ଫାଉଣ୍ଡେସନ୍‌, କେରଳ।

ପିଏଫ୍‌ଆଇ ଏବଂ ଏହାର ସହଯୋଗୀ ସଂଗଠନ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ ‌ସହ ଶାନ୍ତି ଏବଂ ସାମ୍ପ୍ରଦାୟିକ ସଦ୍‌ଭାବନା ନଷ୍ଟ କରିବା ଭଳି କାର୍ଯ୍ୟରେ ସମ୍ପୃକ୍ତ ବୋଲି ସ୍ବରାଷ୍ଟ୍ର ମନ୍ତ୍ରାଳୟ ଏହାର ବିଜ୍ଞପ୍ତିରେ କହିଛି। ସିମି, ଜମାତ ଉଲ ମୁଜାହିଦ୍ଦିନ ବାଂଲାଦେଶ ପରି ନିଷିଦ୍ଧ ଗୋଷ୍ଠୀର ‌ନେତାମାନେ ପିଏଫ୍‌ଆଇର ସଂସ୍ଥାପକ। ପିଏଫ୍ଆଇ ଦ୍ବାରା ଦେଶ ଭିତରେ ଏବଂ ଦେଶ ବାହାରୁ ବ୍ୟାଙ୍କିଂ ଚ୍ୟାନେଲ ଏବଂ ହାୱଲା ଦ୍ବାରା ପାଣ୍ଠି ସଂଗ୍ରହ କରାଯାଉଥିଲା। ଦେଶରେ ଧାର୍ମିକ ବିଭାଜନ ଦ୍ବାରା ବ୍ୟାପକ ହିଂସା ଘଟାଇବା ଏବଂ ଇସ୍‌ଲାମିକ ଶାସନ ସ୍ଥାପନ ପିଏଫ୍‌ଆଇର ମୂଳ ଲକ୍ଷ୍ୟ ଥିଲା।

ନିଷିଦ୍ଧକୁ ସମର୍ଥନ କରାଯାଇ ପାରିବନି : ଅୱେସୀ
ହାଇଦ୍ରାବାଦ: କେନ୍ଦ୍ର ସରକାର ପିଏଫ୍‌ଆଇକୁ ନିଷିଦ୍ଧ କରିବା ଘଟଣାକୁ ଏଆଇଏମଆଇଏମ୍‌ ମୁଖ୍ୟ ଅସଉଦ୍ଦିନ ଅୱେସୀ କଡ଼ା ନିନ୍ଦା କରିଛନ୍ତି। ଅୱେସୀ କହିଛନ୍ତି, ମୁଁ ସବୁବେଳେ ପିଏଫ୍ଆଇ କାର୍ଯ୍ୟଧାରାକୁ ବିରୋଧ କରି ଆସିଛି ଏବଂ ଗଣତାନ୍ତ୍ରିକ ପନ୍ଥାକୁ ସମର୍ଥନ କରିଛି। କିନ୍ତୁ ପିଏଫ୍‌ଆଇକୁ ଏଭଳି ନିଷିଦ୍ଧ କରାଯିବାକୁ ଗ୍ରହଣ କରାଯାଇପାରିବ ନାହିଁ। କିଛି ବ୍ୟକ୍ତିଙ୍କ ଅପରାଧ ପାଇଁ ସମ୍ପୂର୍ଣ୍ଣ ସଂଗଠନକୁ ନିଷିଦ୍ଧ ଘୋଷଣା କରାଯାଇପାରିବନି। କଳା ଆଇନକୁ ବିରୋଧ କରି ଏବେ ପ୍ରତି ମୁସ୍‌ଲିମ ଯୁବକ ଗିରଫ ହେବେ ବୋଲି ଅୱେସୀ କହିଛନ୍ତି।

ସମ୍ବନ୍ଧିତ ଖବର