ବଂଶଧାରା ମାମଲା: ସତ୍ୟପାଠ ଦାଖଲ ପାଇଁ ଓଡ଼ିଶାକୁ ନିର୍ଦ୍ଦେଶ

ଆନ୍ଧ୍ର ଆପତ୍ତି ପରେ ଅଟକିଲା ଚୂଡ଼ାନ୍ତ ଶୁଣାଣି

ନୂଆଦିଲ୍ଲୀ : ଆନ୍ଧ୍ର ପ୍ରଦେଶର ଆପତ୍ତି ଯୋଗୁ ଆଜି ସୁପ୍ରିମକୋର୍ଟରେ ବଂଶଧାରା ଜଳବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ଆରମ୍ଭ ହୋଇପାରିନାହିଁ। ଅପରପକ୍ଷେ, ଅତିରିକ୍ତ ନଥି ଦାଖଲ କରିବାରେ ବିଳମ୍ବ ପାଇଁ ଓଡ଼ିଶାକୁ ସୁପ୍ରିମକୋର୍ଟ ଗୋଟିଏ ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପକ୍ଷରୁ ନଥି ଦାଖଲ ପାଇଁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହିତ ଏହାର ଉତ୍ତର ଦାଖଲ କରିବା ପାଇଁ ଆନ୍ଧ୍ର ପ୍ରଦେଶକୁ ତିନି ସପ୍ତାହ ସମୟ ଦେଇଛନ୍ତି। ଚାରି ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୁଡ଼, ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଓ ବିଚାରପତି ଜଷ୍ଟିସ୍‌ ବିକ୍ରମ ସେଠଙ୍କ ଖଣ୍ଡପୀଠରେ ଆଜି ବଂଶଧାରା ଜଳ ବିବାଦ ସଂପର୍କିତ ମାମଲାର ଶୁଣାଣି ହୋଇଥିଲା। ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲାର ଚୂଡ଼ାନ୍ତ ଶୁଣାଣି ଆରମ୍ଭ କରାଯିବ ସମୟରେ ଓଡ଼ିଶା ସରକାରଙ୍କ ଦ୍ବାରା ନିୟୋଜିତ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ ଅତିରିକ୍ତ ଦସ୍ତାବିଜ୍‌ ଦାଖଲ କରିବା ପାଇଁ ସେ ଆବେଦନ କରିଥିବା ନେଇ ସେ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ଅପରପକ୍ଷେ, ଆନ୍ଧ୍ର ପ‌୍ରଦେଶ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ସିଏସ୍‌ ବୈଦନାଥନ କହିଲେ, ଓଡ଼ିଶା ଦ୍ବାରା ଅତିରିକ୍ତ ଦସ୍ତାବିଜ୍‌ ଦାଖଲ ପାଇଁ ଯେଉଁ ଆବେଦନ କରାଯାଇଛି ସେ ସଂପର୍କରେ ସେ ଆଜି ଅବଗତ ହୋଇଛନ୍ତି। ହେଲେ ଏହାର ବିଷୟବସ୍ତୁ ଜାଣିପାରିନାହାନ୍ତି। ଏମିତିରେ ଯଦି ମୂଳ ମାମଲାର ଶୁଣାଣି ଓଡ଼ିଶା ପକ୍ଷରୁ କରାଯାଏ ଓ ଅତିରିକ୍ତ ଦସ୍ତାବିଜ୍‌ର ଅବତାରଣ କରାଯାଏ, ତାହାହେଲେ ତାଙ୍କ ପାଇଁ ମାମଲାରେ ଯୁକ୍ତି ଉପସ୍ଥାପନରେ ସମସ୍ୟା ଉପୁଜିବ ବୋଲି ସେ କହିବା ସହ ଶୁଣାଣି ଆରମ୍ଭ କରାଯିବାକୁ ନେଇ ଆପତ୍ତି ଉଠାଇଥିଲେ।

ଅତଏବ ଓଡ଼ିଶା ଦ୍ବାରା ଅତିରିକ୍ତ ଦସ୍ତାବିଜ୍‌ ଦାଖଲ ପାଇଁ ଯେଉଁ ଆବେଦନ କରାଯାଇଛି ତାହାର ପ୍ରଥମେ ଶୁଣାଣି କରାଯାଉ ବୋଲି ସେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖଣ୍ଡପୀଠ କହିଥିଲେ , ବର୍ତ୍ତମାନ ମାମଲାର ଶୁଣାଣି ଆରମ୍ଭ କରାଯାଉ, ଯେହେତୁ ଶୁଣାଣି ଦୀର୍ଘ ସମୟ ଚାଲିବ। ଶୁଣାଣି ଜାରି ରହିବା ଅବଧିରେ ଓଡ଼ିଶାର ଆବେଦନକୁ ବିଚାର କରାଯାଇପାରିବ। ହେଲେ ଆନ୍ଧ୍ର ଓକିଲ ରାଜି ହୋଇନଥିଲେ। ଏତେ ଦିନ ହେଲା ଓଡିଶା କାହିଁକି ଅତିରିକ୍ତ ଦସ୍ତାବିଜ୍‌ ଦାଖଲ କରିନଥିଲା ଏବଂ ଆଜି ଯେତେବେଳେ ମୂଳ ପିଟିସନଗୁଡ଼ିକର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି, ଓଡ଼ିଶା ପକ୍ଷରୁ ଅତିରିକ୍ତ ନଥି ଦାଖଲ ପାଇଁ ଆବେଦନ କରାଯିବାକୁ ନେଇ ଆନ୍ଧ୍ର ଓକିଲ ପ୍ରଶ୍ନ କରିଥିଲେ। ଅତିରିକ୍ତ ଦସ୍ତାବିଜ୍‌ ଦାଖଲ କରାଯିବା ବିଳମ୍ବ ସଂପର୍କରେ ଗୋପାଳ ସୁବ୍ରମଣ୍ୟମଙ୍କୁ ଖଣ୍ଡପୀଠ ପ୍ରଶ୍ନ କରିବାରୁ ସେ କହିଥିଲେ, ତାଙ୍କୁ ରାଜ୍ୟ ସରକାରଙ୍କ ପାଖରୁ ନିର୍ଦ୍ଦେଶ ରହିଥିଲା ଅତିରିକ୍ତ ଆବେଦନ ଦାଖଲ ପାଇଁ ଖଣ୍ଡପୀଠଙ୍କ ନିକଟରେ ନିବେଦନ କରାଯାଉ। ଖଣ୍ଡପୀଠ ଓଡ଼ିଶାକୁ ସପ୍ତାହେ ମଧ୍ୟରେ ଅତିରିକ୍ତ ଦସ୍ତାବିଜ ଦାଖଲ କରିବାର ବିଳମ୍ବ ସଂପର୍କରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷେ ଓଡ଼ିଶା ଦ୍ବାରା ଅତିରିକ୍ତ ଦସ୍ତାବିଜ୍‌ ଦାଖଲ ପାଇଁ ଯେଉଁ ଆବେଦନ କରାଯାଇଥିଲା, ସେହି ଅବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରି ଆନ୍ଧ୍ର ପ୍ରଦେଶକୁ ଏହାର ଉତ୍ତର ତିନି ସପ୍ତାହ ମଧ୍ୟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ‌

‌ଆଜିର ଶୁଣାଣି ଉତ୍ତମ ତଥା ବୌଦ୍ଧିକ ସ୍ତରର ହେବ ବୋଲି ଆଶା କରାଯାଉଥିବା ବେଳେ ଉଭୟ ପକ୍ଷ ନିରାଶ କରିଛନ୍ତି ବୋଲି ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼ ମାମଲାକୁ ସ୍ଥଗିତ କରିବା ସମୟରେ ମୌଖିକ ଟିପ୍ପଣୀରେ କହିଥିଲେ। ବଂଶଧାରା ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ରାୟକୁ ବିରୋଧ କରି ସୁପ୍ରିମକୋର୍ଟରେ ଓଡ଼ିଶା ଦ୍ବାରା ତିନିଟି ସ୍ବତନ୍ତ୍ର ଲିଭ୍‌ ପିଟିସନ୍‌ (ଏସ୍‌ଏଲ୍‌ପି) ଦାଖଲ କରାଯାଉଛି। ଯାହାର ଚୂଡ଼ାନ୍ତ ଶୁଣାଣି ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇନାହିଁ।

ସମ୍ବନ୍ଧିତ ଖବର