ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରି ୨୪ ଓ ୨୫ ତାରିଖ ଦୁଇଦିନ ଧରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବଂଶଧାରା ଜଳବିବାଦର ଶୁଣାଣି ହେବ। ଏହି ମାମଲାର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲରେ ଏହି ଶୁଣାଣି ହେବ ବୋଲି ଜଣାପଡ଼ିଛି। ଗତବର୍ଷ ସେପ୍ଟେମ୍ବର ୨୩ ତାରିଖରେ ବଂଶଧାରା ନଦୀର ନେରେଡି ପ୍ରକଳ୍ପ ଅଞ୍ଚଳର ମିଳିତ ଅନୁଧ୍ୟାନ ପାଇଁ ଟ୍ରିବ୍ୟୁନାଲ ଉଭୟ ଆନ୍ଧ୍ର ଓ ଓଡ଼ିଶାକୁ ନିର୍ଦ୍ଦେଶ ଦେଇଥିଲେ। ଟ୍ରିବ୍ୟୁନାଲଙ୍କ ଆଦେଶକୁ ବିରୋଧ କରି ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଏସ୍‌ଏଲ୍‌ପି (ସ୍ପେଶିଆଲ୍‌ ଲିଭ୍‌ ପିଟିସନ୍‌) ଦାଖଲ କରାଯାଇଥିଲା। ଏପରିସ୍ଥଳେ ଟ୍ରିବ୍ୟୁନାଲ ଶୁଣାଣି ପାଇଁ ଫେବ୍ରୁଆରିକୁ ଦିନଧାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି।